ଭୁବନେଶ୍ବର:ଭାରତୀୟ ମହିଳାଙ୍କ ପାଇଁ ପ୍ରଥମ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସେସ ଇଣ୍ଡିଆ ମିଡିଲ ଇଷ୍ଟର ଦ୍ୱିତୀୟ ସିଜିନ ଫାଇନାଲ ଦୁବାଇରେ ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆରାଧନା ଦାସ ମିସେସ ଇଣ୍ଡିଆ ମିଡିଲ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ ହାସଲ କରିଛନ୍ତି । ମିସେସ ଇଣ୍ଡିଆ ମିଡିଲ ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ ଫିନିଶ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ।
ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା:
ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା ୨୦୨୩ ମସିହାରେ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଦ୍ୱିତୀୟ ସିଜିନ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ମଧ୍ୟପ୍ରାଚ୍ୟର ଅସଂଖ୍ୟ ପ୍ରତିଭାଙ୍କ ପାଇଁ ସୁଯୋଗ ଯୋଗାଇବା ଉଦ୍ଦେଶ୍ୟ । ଏହାସହ ଭାରତୀୟ ମହିଳାଙ୍କ ସୌନ୍ଦର୍ଯ୍ୟ, ବୁଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟ ଜ୍ଞାନକୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ । ବିଭିନ୍ନ ଭାରତୀୟ ସହରରୁ ଆସି ମଧ୍ୟପ୍ରାଚ୍ୟରେ ରହୁଥିବା ବିବାହିତ ଭାରତୀୟ ମହିଳାମାନେ ସେମାନଙ୍କ ପ୍ରତିଭା, ସୌନ୍ଦର୍ଯ୍ୟ, ବୁଦ୍ଧି, ଆତ୍ମବିଶ୍ୱାସ ଏବଂ ସାଂସ୍କୃତିକ ପରିଚୟ ପ୍ରଦର୍ଶନ କରିବା ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ପାରମ୍ପରିକ ପୋଷାକ, ଗାଉନ୍, ପ୍ରତିଭା ଏବଂ ସାକ୍ଷାତକାର ସମେତ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା ।
ଚମକିଲେ ଓଡ଼ିଆ ଝିଅ:
ଓଡ଼ିଶାର ଆରାଧନା ଦାସ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିଜର ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ସହ ଓଡ଼ିଆ ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିବା ପାଇଁ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ଆରାଧନା ଭୁବନେଶ୍ୱରର ବାସିନ୍ଦା । ଗତ ୭ ବର୍ଷ ଧରି ଦୁବାଇରେ ସ୍ୱାମୀ ସୁର୍ଯ୍ୟକାନ୍ତ ବେହେରା ଏବଂ ଝିଅ ସାନଭୀ ବେହେରାଙ୍କ ସହ ବାସ କରୁଛନ୍ତି । ଚଳିତ ବର୍ଷର ପ୍ରତିଯୋଗିତାରେ ଆରାଧନାଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ ସହ ମିସେସ୍ ଇଣ୍ଟେଲେକ୍ଚୁଆଲ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା । ନିଜ ଦକ୍ଷତା ଏବଂ ଆତ୍ମବିଶ୍ୱାସକୁ ଆରାଧନା ପ୍ରତିଯୋଗିତାରେ ପ୍ରତିପାଦିତ କରିଥିଲେ । ବିବାହ ପୂର୍ବରୁ ଆରାଧନା ଜଣେ ବ୍ୟାଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଝିଅଙ୍କ ଜନ୍ମ ପରେ ଆରାଧନା ବୃତ୍ତି ଛାଡ଼ି ପାରିବାରିକ ଦାୟିତ୍ବକୁ ଅଗ୍ରାଧିକାର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପ୍ରତିଯୋଗିତାରେ ବିଜୟୀ ହୋଇ ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି ।