ହାଇଦ୍ରାବାଦ: ବଲିଉଡରୁ ସାଉଥ ସିନେମା ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର 2024 ମସିହାରେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଛି । ବର୍ତ୍ତମାନ 2024 ବର୍ଷ ଶେଷ ହେବାକୁ ଯାଉଛି । 2024 ବର୍ଷ ଶେଷ ପୂର୍ବରୁ 'ପୁଷ୍ପା 2' ରୁ 'ବେବି ଜନ' ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । 2024 ବର୍ଷ ଶେଷ ହୋଇନାହିଁ ହେଲେ ବର୍ତ୍ତମାନ 2025 ରୁ 2026 ପର୍ଯ୍ୟନ୍ତ ରିଲିଜ ହେବାକୁ ଥିବା ଆଗାମୀ ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ତାଲିକା ବାହାରିଛି । 2024 ବର୍ଷ ତୁଳନାରେ 2025-26 ବର୍ଷରେ ବକ୍ସ ଅଫିସରେ ଏକ ବଡ଼ ଧମାକା ହେବାକୁ ଯାଉଛି । ଏଥିରେ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିକନ୍ଦର' ଏବଂ 'ଆରଆରଆର' ତାରକା ରାମ ଚରଣଙ୍କ ଚଳଚ୍ଚିତ୍ର 'ଗେମ ଚେଞ୍ଜର' ଅନ୍ତର୍ଭୁକ୍ତ । ଜାଣନ୍ତୁ, 2025 ରୁ 26 ଦୁଇ ବର୍ଷରେ ବକ୍ସ ଅଫିସରେ କେବେ, କେଉଁ ଏବଂ କେତେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି ?
2025 ମସିହାରେ ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ର:-
1. ଜାନୁଆରୀ 2025
- 'ଗେମ ଚେଞ୍ଜର'- ଜାନୁଆରୀ 10
ଜାନୁଆରୀ 2025ରେ ଆରଆରଆର ତାରକା ରାମ ଚରଣ, କିଆରା ଆଡଭାନୀଙ୍କ ଅଭିନୀତ ରାଜନୈତିକ ଥ୍ରୀଲର ଚଳଚ୍ଚିତ୍ର 'ଗେମ ଚେଞ୍ଜର' ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ର ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ 10ରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ. ଶଙ୍କର ।
- 'ସ୍କାଏ ଫୋର୍ସ'
ଅକ୍ଷୟ କୁମାର, ନିମ୍ରିତ କୌର, ସାରା ଅଲି ଖାନ ଏବଂ ଭୀର ପାହାଡିଆ ଷ୍ଟାରର ଚଳଚ୍ଚିତ୍ର 'ସ୍କାଏ ଫୋର୍ସ' ହେଉଛି 1965 ର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ଏକ ଚଳଚ୍ଚିତ୍ର, ଯାହା ଜାନୁଆରୀ 2025ରେ ପ୍ରେକ୍ଷାଳୟକୁ ଆସୁଛି ।
- 'ଦେବା'- ଜାନୁଆରୀ 31
ସାହିଦ କପୁର ଏବଂ ପୂଜା ହେଗଡେ ଷ୍ଟାରର ଆକ୍ସନ୍ ଡ୍ରାମା ଫିଲ୍ମ 'ଦେବା' ଜାନୁଆରୀ 31ରେ ରିଲିଜ ହେବ । ଜି ଷ୍ଟୁଡିଓର ବ୍ୟାନରରେ ଫିଲ୍ମ 'ଦେବା' ନିର୍ମିତ ହେଉଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୋଶନ୍ ଆଣ୍ଡ୍ର୍ୟୁସ୍ । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ସିଦ୍ଧାର୍ଥ ରୟ କପୁର ।
'ଆଜାଦ'
ଏଥିସହ ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ ଏବଂ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନିଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଜାଦ' ମଧ୍ୟ ଜାନୁଆରୀ 2025ରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ଅମନ ଏବଂ ରାଶା ବଲିଉଡରେ ଡେବ୍ୟୁ କରୁଥିବା ବେଳେ ପ୍ରଥମ ଥର ପାଇଁ ଏହି ଯୋଡି ଅନସ୍କ୍ରିନ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଏଥିରେ ଡାଏନା ପେଣ୍ଟି, ପୀୟୁଷ ମିଶ୍ର ଏବଂ ମୋହିତ ମଲିକଙ୍କ ଭଳି ତାରକା ମଧ୍ୟ ନଜର ଆସିବେ ।
2. ଫେବୃଆରୀ 2025
- 'ଛାବା'
ବିକି କୌଶଲ ଏବଂ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଛାବା' ଡିସେମ୍ବର 6ରେ ରିଲିଜ ହେବାକୁ ଯାଉଥିଲା ଏବଂ ବକ୍ସ ଅଫିସରେ 'ପୁଷ୍ପା 2 ସହ ଟକ୍କର ହେବାର ଥିଲା । ହେଲେ ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇଛନ୍ତି । ତେବେ 'ଭାଲେଣ୍ଟାଇନ ଡେ' ଅବସରରେ ଫିଲ୍ମ ଫେବୃଆରୀରେ ମୁକ୍ତିଲାଭ କରିବ ।
- 'ରେଡ୍ 2'-21 ଫେବୃଆରୀ
'ରେଡ' ସିକ୍ୱେଲ 'ରେଡ 2' ସହ ପରଦାରେ ପୁଣି ଫେରୁଛନ୍ତିବଲିଉଡ ଅଭିନେତାଅଜୟ ଦେବଗନ । ଏହି ଫିଲ୍ମ 21 ଫେବୃଆରୀରେ ପ୍ରେକ୍ଷାଳୟକୁ ଆସୁଛି । ଏହି ଫିଲ୍ମରେ ଅଜୟ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ବେଳେ ରୀତେଶ ଦେଶମୁଖ ଖଳନାୟକ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ କୁମାର ଗୁପ୍ତା ଦେଇଥିବା ବେଳେ ଭୂଷଣ କୁମାର, କୁମାର ମଙ୍ଗତ ପଠକ, ଅଭିଷେକ ପଠକ ଏବଂ କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ମିତ ।
3. ମାର୍ଚ୍ଚ 2025
- 'ସି ଶଙ୍କରନ ନାୟାର' (ହୋଲି)
ଅକ୍ଷୟ କୁମାର, ଅନନ୍ୟା ପାଣ୍ଡେ ଏବଂ ଆର ମାଧବନଙ୍କ ଫିଲ୍ମ 'ସି ଶଙ୍କରନ ନାୟାର' 2025 ମସିହାରେ ହୋଲିରେ ମୁକ୍ତିଲାଭ କରିବ ।
- 'ସିକନ୍ଦର'
2025 ବର୍ଷର ପ୍ରଥମ ଇଦ୍ ଅବସରରେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କ ପାଇଁ 'ସିକନ୍ଦର' ଚଳଚ୍ଚିତ୍ରର ଉପହାର ଆଣିଛନ୍ତି । ଫିଲ୍ମର ସୁଟିଂ ଚାଲିଛି । ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦନା ଏବଂ କାଜଲ ଅଗ୍ରୱାଲଙ୍କ ପରି ଦୁଇଜଣ ସାଉଥ ଅଭିନେତ୍ରୀ ନଜର ଆସିବେ ।
4. ଏପ୍ରିଲ୍ 2025
- ରାଜା ସାହେବ (ସାଉଥ) (ମହାବୀର ଜୟନ୍ତୀ)
ସାଉଥ ସିନେମା ତାରକା ପ୍ରଭାସଙ୍କ 2025 ବର୍ଷର ପ୍ରଥମ ଚଳଚ୍ଚିତ୍ର 'ଦ ରାଜା ସାହେବ' ମହାବୀର ଜୟନ୍ତୀ ଅବସରରେ ମୁକ୍ତିଲାଭ କରିବ । ମାଲଭିକା ମୋହନନ୍ ଏହି ଚଳଚ୍ଚିତ୍ର ସହ ଟଲିଉଡରେ ଡେବ୍ୟୁ କରିବେ ଏବଂ ଏହି ଫିଲ୍ମରେ ନିଧି ଅଗ୍ରୱାଲ ମଧ୍ୟ ଅଭିନୟ କରିବେ ।
- ସନ୍ନି ସଂସ୍କାରୀ କି ତୁଳସୀ କୁମାରୀ (ଗୁଡ୍ ଫ୍ରାଇଡେ)
2024ରେ ନିର୍ଦ୍ଦେଶକ କରଣ ଜୋହର ଆଗାମୀ ଫିଲ୍ମ 'ସନ୍ନି ସଂସ୍କାରୀ କି ତୁଲସୀ କୁମାରୀ' ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଦର୍ଶକ ପୁଣି ବରୁଣ ଧୱନ ଏବଂ ଜାହ୍ନବୀ କପୁରଙ୍କ ଯୋଡ଼ିକୁ ଏକାଠି ଦେଖିବେ । ଗୁଡ୍ ଫ୍ରାଇଡେ ଅବସରରେ ଏପ୍ରିଲ 18ରେ ମୁକ୍ତିଲାଭ କରିବାକୁ ଯାଉଛି ।