ଭୁବନେଶ୍ୱର:ଦର୍ଶକଙ୍କ ମନ ଜିତୁଛି ଓଡ଼ିଆ ଫିଲ୍ମ 'ଆଶ୍ରମ' । ସେପ୍ଟେମ୍ୱର 13ରେ ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରଶଂସା ସାଉଁଟିବା ସହ ଲୋକଙ୍କୁ ଥିଏଟର ମୁହାଁ କରାଉଛି । ସମାଜସେବା ଓ ସମର୍ପଣର ନିଛକ କାହାଣୀ ଦେଖିବାକୁ ମିଳିଥିବା ବେଳେ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଫିଲ୍ମକୁ ନେଇ ଇଟିଭି ଭାରତରେ ସ୍ୱତନ୍ତ୍ର ସାକ୍ଷାତକାରରେ ନିଜର ଅଭିଜ୍ଞତା ସେୟାର କରିଛନ୍ତି ଫିଲ୍ମର ନାୟକ ଅଭିଷେକ ଗିରି ଏବଂ ପ୍ରଯୋଜକ ତପନ କୁମାର ଦାଶ । ଏହି ସମୟରେ ଦର୍ଶକଙ୍କ ଭଲପାଇବା ଏବଂ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ନିର୍ମାତା 'ଆଶ୍ରମ: ଏକ ଆଶାର ଆଶ୍ରୟ' ଆଗାମୀ ଦିନରେ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ନିଶ୍ଚୟ 'ଏକ ଆଶାର ଆଶ୍ରୟ' ସାଜିବ ବୋଲି କହିଛନ୍ତି ନିର୍ମାତା ।
ଅଭିଷେକ ଗିରିଙ୍କ ପ୍ରତିକ୍ରିୟା
ଫିଲ୍ମର ମୁଖ୍ୟ ଅଭିନେତା ଅଭିଷେକ ଗିରି ନିଜର ଅନୁଭୂତି ବଖାଣିଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା ଓଲିଉଡର ଆଗଧାଡିର ନାୟିକା ମହାଶ୍ୱେତା ରାୟଙ୍କ ସହ କାମ କରିବା ଆପଣଙ୍କ ପାଇଁ କେତେ ଚ୍ୟାଲେଞ୍ଜିଂ ଥିଲା । ଏହାର ଉତ୍ତରରେ ସେ କହିଛନ୍ତି, ''ସେ ବହୁତ ଲୋକପ୍ରିୟ ନାୟିକା । ଫିଲ୍ମର ନିର୍ମାତା ମୋତେ ତାଙ୍କ ସହ କାମ କରିବାର ଯୋଗ୍ୟ ଭାବିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ମୋତେ ବହୁତ ଭଲ ଲାଗୁଛି । ମୋର ଚରିତ୍ର ଏବଂ ମହାଶ୍ୱେତା ରାୟଙ୍କ କାମ କରିବା ମୋର ବହୁତ ଦକ୍ଷତା ବଢିଛି ଏବଂ ଅନେକ କିଛି ଶିଖିଛି । ଲୋକେ ମଧ୍ୟ ମୋ ଚରିତ୍ରକୁ ବେଶ ପସନ୍ଦ କରିଛନ୍ତି । ଏଣୁ ମୁଁ ଦର୍ଶକଙ୍କୁ ଅନୁରୋଧ କରୁଛି ଯେଉଁମାନେ ଫିଲ୍ମ ଦେଖିନାହାନ୍ତି ଆସନ୍ତୁ ଏବଂ ଫିଲ୍ମ ଦେଖନ୍ତୁ ।''
ପ୍ରଯୋଜକ ତପନ କୁମାର ଦାଶଙ୍କ ପ୍ରତିକ୍ରିୟା
ସେହିପରି ପ୍ରଯୋଜକ ତପନ କୁମାର ଦାଶ ମଧ୍ୟ କହିଛନ୍ତି , ଯେଉଁମାନେ ଓଡ଼ିଆ ଫିଲ୍ମ ଭଲ କଣ୍ଟେଣ୍ଟରେ ହେଉନାହିଁ କହୁଛନ୍ତି ସେମାନ ଏହି ଫିଲ୍ମ ଦେଖିବା ପରେ ଅଭିଯୋଗ କରିବେ ନାହିଁ । ଫିଲ୍ମ ଦେଖିନଥିବା ଲୋକ ହଲକୁ ଆସି ଏହି ଫିଲ୍ମ ନିଶ୍ଚୟ ଦେଖିବାକୁ ଅନୁରୋଧ କରୁଛି । ମୁଁ ଆଶା କରୁଛି ଏହି ଫିଲ୍ମ ଆଗାମୀ ଦିନରେ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ନିଶ୍ଚୟ 'ଏକ ଆଶାର ଆଶ୍ରୟ' ସାଜିବ ବୋଲି କହିଛନ୍ତି ନିର୍ମାତା ।