ମୁମ୍ବାଇ: ଏକଜିଟ ପୋଲ ରିପୋର୍ଟ ଆସିବା ପରେ ସେୟାର ମାର୍କେଟରେ ରେକର୍ଡ । ଷ୍ଟକ ମାର୍କେଟରେ ଜବରଦସ୍ତ ଉତ୍ସାହ । ସର୍ବକାଳୀନ ରେକର୍ଡ ଭାଙ୍ଗିଲା ବିଏସଇ ସେନସେକ୍ସ ଓ ଏନଏସଇ ନିଫ୍ଟି । ସେନସେକ୍ସରେ 2500ରୁ ଊର୍ଦ୍ଧ୍ବ ପଏଣ୍ଟ ବୃଦ୍ଧି । ସେହିପରି ନିଫ୍ଟି ମଧ୍ୟ କମାଲ କରିଛି । ନିଜର ସର୍ବକାଳୀନ ରେକର୍ଡ ଛୁଇଁଛି ନିଫ୍ଟି । ପ୍ରଥମ ଥର ପାଇଁ 7ଶହରୁ ଊର୍ଦ୍ଧ୍ବ ପଏଣ୍ଟ ସହ ୨୩ ହଜାର ପଏଣ୍ଟ ପାର କରିଛି । 2 ଦିନ ତଳେ ପ୍ରକାଶ ପାଇଥିବା ଏକଜିଟ ପୋଲ୍ ରିପୋର୍ଟର ପ୍ରଭାବ ଆଜି ଭାରତୀୟ ସେୟାର ମାର୍କେଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଗତ 4 ବର୍ଷ ମଧ୍ୟରେ ଗୋଟିଏ ଦିନରେ ଏହା ସବୁଠାରୁ ବଡ ବୃଦ୍ଧି ।
ବାଣିଜ୍ୟ ସପ୍ତାହର ପ୍ରଥମ ଦିନ (ସୋମବାର) ସେୟାର ବଜାରରେ ରେକର୍ଡ ପାର କରିଛି କାରବାର । 30 ସେୟାର ଆଧାରିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କ ସେନସେକ୍ସ ଆଜି ପ୍ରଥମ ଥର ପାଇଁ 2507.47 ପଏଣ୍ଟ ଅର୍ଥାତ 3.39 ପ୍ରତିଶତ ବଢ଼ି 76 ହଜାର ପାର କରିଛି । ଆଜି 76,468.78ରେ କାରବାର ବନ୍ଦ କରିଛି ସେନସେକ୍ସ । ସେପଟେ 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ ମଧ୍ୟ ଜୋରଦାର ଅଭିବୃଦ୍ଧି ଘଟିଛି । ସେନସେକ୍ସ ଭଳି ନିଫ୍ଟ 733.20 ପଏଣ୍ଟ ଅର୍ଥାତ 3.25 ପ୍ରତିଶତ ବୃଦ୍ଧି ଘଟି 23,263.90ରେ କାରବାର ଶେଷ କରିଛି । ଗତ 4 ବର୍ଷ ମଧ୍ୟରେ ଗୋଟିଏ ଦିନରେ ଉଭୟ ସେନସେକ୍ସ ଓ ନିଫ୍ଟିରେ ଏହା ସବୁଠାରୁ ବଡ ବୃଦ୍ଧି । ସେପଟେ ନିଫ୍ଟି ବ୍ୟାଙ୍କ ମଧ୍ୟ 50 ହଜାର ଉପରେ ରହିଛି । ରିଲାଏନ୍ସ , ଏସବିଆଇ, ଲାର୍ସେନ, ଏଚଡିଏଫସି (HDFC) ବ୍ୟାଙ୍କ ଆଇସିଆଇସିଆଇ (ICICI) ବ୍ୟାଙ୍କ ଓ ପାୱାର ଗ୍ରୀଡ କ୍ରପର ସେୟାର ଗୁଡ଼ିକ ଜୋରଦାର କାରବାର କରିଛି ।