ଓଡିଶା

odisha

ETV Bharat / bharat

ଦିବୃଗଡ ଜେଲରେ ସୁରକ୍ଷା ବିଭ୍ରାଟ, ଖଲିସ୍ତାନୀ ଆତଙ୍କୀ ଅମୃତପାଲ ସିଂ ସେଲରୁ ମୋବାଇଲ-ସ୍ପାଏ କ୍ୟାମେରା ଜବତ - Assam police

Assam Jail Breach: ଦିବୃଗଡ ସେଣ୍ଟ୍ରାଲ ଜେଲରେ ଥିବା ଖଲିସ୍ତାନୀ ଆତଙ୍କୀ ଅମୃତପାଲ ସିଂ ସେଲରୁ ମୋବାଇଲ ସ୍ପାଏ କ୍ୟାମେରା ଜବତ । ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ଦିବୃଗଡ ଜେଲରେ ସୁରକ୍ଷା ବିଭ୍ରାଟ, ଖଲିସ୍ତାନୀ ଆତଙ୍କୀ ଅମୃତପାଲ ସିଂ ସେଲରୁ ବହୁ ସାମଗ୍ରୀ ଜବତ
ଦିବୃଗଡ ଜେଲରେ ସୁରକ୍ଷା ବିଭ୍ରାଟ, ଖଲିସ୍ତାନୀ ଆତଙ୍କୀ ଅମୃତପାଲ ସିଂ ସେଲରୁ ବହୁ ସାମଗ୍ରୀ ଜବତ

By ETV Bharat Odisha Team

Published : Feb 17, 2024, 10:39 PM IST

ଗୌହାଟୀ: କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଓ୍ବାରିସ ପଞ୍ଜାବ ଦେ’ ସଂଗଠନ ମୁଖ୍ୟ ଅମୃତପାଲ ସିଂକୁ ରଖାଯାଇଥିବା ଆସାମର ଦିବୃଗଡ କେନ୍ଦ୍ରୀୟ ଜେଲରେ ସୁରକ୍ଷାରେ ବିଭ୍ରାଟ ସାମ୍ନାକୁ ଆସିଛି । ଏହି କୁଖ୍ୟାତ ଆତଙ୍କବାଦୀ ରହୁଥିବା ସେଲରୁ ଆଜି ଏକାଧିକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ସ୍ମାର୍ଟଫୋନ, ଗୋଟିଏ କିପ୍ୟାଡ ଫୋନ, ସ୍ପାଏ କ୍ୟାମେରା, ପେନ, ସ୍ମାର୍ଟଓ୍ବାଚ, ବ୍ଲୁଟୁଥ ପରି ଇଲୋକ୍ଟୋନିକ୍ସ ସାମଗ୍ରୀ ରହିଛି । ଅମୃତପାଲ ଓ ତାର 9ଜଣ ସହଯୋଗୀ ଥିବା ଓ୍ବାର୍ଡରୁ ଏହି ସାମଗ୍ରୀ ସବୁ ଜବତ ହେବା ପରେ ଏହି ଆତଙ୍କବାଦୀଙ୍କ ଓ ଜେଲ କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ପଦାରେ ପଡିଛି ।

ଏହି ସବୁ ବୈଦ୍ୟୁତିକ ସାମଗ୍ରୀର ବ୍ୟବହାର କରାଯାଇ ଜେଲ ଭିତରର ସୂଚନା ବାହାରକୁ ପଠାଯାଉଥିବା ସନ୍ଦେହ କରାଯାଉଛି । ଜବତ ସାମଗ୍ରୀ ସମ୍ପର୍କରେ ସୂଚନା ଦେଇ ଆସାମ ପୋଲିସ ମହାନିର୍ଦ୍ଦେଶକ ଜି.ପି ସିଂ କହିଛନ୍ତି, ଅମୃପାଲ ରହୁଥିବା ସେଲରେ କିଛି ବେଆଇନ ଗତିବିଧି ଚାଲିଥିବା ସୂଚନା ମିଳିବା ପରେ ପୋଲିସ ଓ ଜେଲ ଷ୍ଟାଫ ଏହି ସେଲରେ ଯାଞ୍ଚ କରିଥିଲା । ଯେଉଁଥିରେ ଏହିସବୁ ସାମଗ୍ରୀ ଜବତ କରାଯାଇଛି । ଏହା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅମୃତପାଲ ସିଂ ଓ ତାର ସହଯୋଗୀ ରହୁଥିବା ସ୍ଥାନ ସହ ଅନ୍ୟାନ୍ୟ ଏନଏସଏ ଓ୍ବାର୍ଡରେ ଅତିରିକ୍ତ ସିସିଟିଭି ଇନଷ୍ଟଲ କରାଯାଇଛି । ସ୍ଥିତିକୁ ଦେଖି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ପୋଲିସକୁ ନାକେଦମ କରଥିଲା ଏହି ଖଲିସ୍ତାନୀ ଆତଙ୍କବାଦୀ । ପଞ୍ଜାବର ଏକ ଥାନାରେ ପଶି ପୋଲିସ ଉପରେ ମରଣାନ୍ତକ ଆକ୍ରମଣକରିଥିଲା ଅମୃତପାଲ ଓ ତାର ଏକାଧିକ ସହଯୋଗୀ । ଏଥିରେ ଏକାଧିକ ପୋଲିସ ଅଧିକାରୀ ଓ କର୍ମଚାରୀ ଗୁରୁତର ହୋଇଥିଲେ । ‘ପଞ୍ଜାବ ଓ୍ବାରିସ ଦେ’ ନାମରେ ଏହି ଖଲିସ୍ତାନୀ ତଥା ଭାରତ ବିରୋଧୀ ସଂଗଠନର ନେତୃତ୍ବ ନେଉଥିବା ଅମୃତପାଲକୁ ଧରିବା ପାଇଁ ପଞ୍ଜାବ ଓ ହରିୟାଣା ପୋଲିସ ନାକେଦମ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଗ୍ରୁପ ଲୋନ ନେଇ ମା’ ଫେରାର, 3 ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !

2023 ମସିହା ଏପ୍ରିଲ ମାସରେ ତାକୁ ଗିରଫ କରାଯିବା ପରେ ସୁରକ୍ଷା ଦୃଷ୍ଟିରୁ ଉତ୍ତର-ପୂର୍ବ ଆସାମର ଦିବୃଗଡ କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା । ସେ ଓ ତାର ସହଯୋଗୀମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଅଧିନିୟମ ‘ଏନଏସଏ’ ଅନୁସାରେ ଦଫା ଲଗାଯାଇଛି । ତଥାପି ଏହି ହାଇପ୍ରୋଫାଇଲ ଅଭିଯୁକ୍ତ ରହୁଥିବା ସେଲରେ ଏପରି ଏକାଧିକ ଆପତ୍ତିଜନକ ସାମଗ୍ରୀ ଠାବ ହେବା ପରେ ପୋଲିସ ଓ ଜେଲ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details