ଚଣ୍ଡିଗଡ: ଆଜି ହରିୟାଣା ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏଥିରେ 8ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ବନ୍ଦୃ ଦତ୍ତାତ୍ରେୟ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ନୂତନ ମନ୍ତ୍ରୀ ଭାବେ କମଲ ଗୁପ୍ତା, ସୀମା ତ୍ରିଖା, ମହିଲପାଲ ଦଣ୍ଡା, ଅସୀମ ଗୋଏଲ, ଅଭେ ସିଂ, ସୁଭାଷ ସୁଧା, ବିଶମ୍ବର ସିଂ ଓ ସଞ୍ଜୟ ସିଂ ଶପଥ ଗ୍ରହଣ କରିଥିଲେ ।
ଚଳିତମାସ (ମାର୍ଚ୍ଚ) ନାୟବ ସିଂ ସୈନି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାର କିଛି ଘଣ୍ଟା ପୂର୍ବରୁ ବିଜେପି ଜେଜେପି ସହ ମେଣ୍ଟ ଭାଙ୍ଗିବା ସହ ମୁଖ୍ୟମନ୍ତ୍ରୀ ପଦରୁ ବରିଷ୍ଠ ନେତା ମନୋହରଲାଲ ଖଟ୍ଟର ମଧ୍ୟ ଇସ୍ତଫା ଦେଇଥିଲେ । ଏହା ପରେ ସୈନିଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ସେହିଦିନ ସଂଧ୍ୟାରେ ସୈନି ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅନ୍ୟ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟରଙ୍କୁ ଦଳ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇଛି । ହରିୟାଣାରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିଥିବା ବିଜେପିର ଏହି ବରିଷ୍ଠ ନେତା ଏଥର କେନ୍ଦ୍ର କ୍ୟାବିନେଟରେ ମଧ୍ୟ ନଜର ଆସିପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଦଳର ଅନ୍ୟତମ ହେଭିଓ୍ବେଟ ନେତା ଅନିଲ ବିଜଙ୍କୁ ନୂଆ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳନି ।
ଏହା ମଧ୍ୟ ପଢନ୍ତୁ :- ଆସ୍ଥାଭୋଟ ଜିତିଲେ ହରିୟାଣା ନୂତନ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି