ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବେ ସୁର, ଆଉ ଲଢ଼ିବେନି ନିର୍ବାଚନ - ମନ୍ମଥ ରାଉତରାୟ
🎬 Watch Now: Feature Video
ଭୁବନେଶ୍ବର: ଆଉ ଭୋଟ ରାଜନୀତିରେ ରହିବେ ନାହିଁ ସୁର । ଆଗାମୀ ୨୦୧୪ ସାଧାରଣ ନିର୍ବାଚନରେ ଆଉ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସର ପୋଷ୍ଟର ବୟ ଭାବେ ଜଣାଶୁଣା ବିଧାୟକ ସୁର ରାଉତରାୟ ଆଉ ନିର୍ବାଚନ ଲଢ଼ିବେ ନାହିଁ । ସାନ ପୁଅ ମନ୍ମଥକୁ ଛାଡ଼ିବେ ବାଟ । ମନ୍ମଥ ସୁରଙ୍କ ସ୍ଥାନରେ ଜଟଣୀରୁ ରାଜନୀତି ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ବୟସାଧିକ କାରଣ, ପିଲାମାନଙ୍କର ରାଜନୀତି ପ୍ରତି ରୁଚି ବଢିବାରୁ ସୁର ପିଲାଙ୍କୁ ବାଟ ଛାଡିବେ। ରାଜନୀତି ସହ ରହିବେ ଓ ଲୋକଙ୍କ ପାଇଁ ସେବା କରିବେ ବୋଲି ସେ କହିଛନ୍ତି । ହେଲେ ଆଉ ନିର୍ବାଚନ ରଣାଙ୍ଗନାରେ ପ୍ରାର୍ଥୀ ହେବେ ନାହିଁ ।
କୌଣସି ଦଳକୁ ଯିବେନାହିଁ ଏନେଇ ସ୍ପଷ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବେ। ତାଙ୍କୁ ରାଜନୀତିର ପାଠ ପଢେଇବା ସହ ଜଟଣୀ ବାସୀଙ୍କ ସେବା କରିବେ। ସେ କହିଛନ୍ତି, "ମୁଁ ନିଷ୍ପତ୍ତି କରିସାରିଛି, ଆଉ ନିର୍ବାଚନ ଲଢ଼ିବି ନାହିଁ । ମୋ ସାନ ପୁଅ ମନ୍ମଥ ରାଉତରାୟ ନିର୍ବାଚନ ଲଢ଼ିବ । ମୁଁ ମଲା ପର୍ଯ୍ୟନ୍ତ ଲୋକଙ୍କ ସେବା କରିବି, ଭୋଟ ରାଜନୀତିରେ ରହିବି ନାହିଁ । ମୋ ଭୋଟ ମୋ ପୁଅକୁ ଦେବି, ତା ରାଜନୈତିକ ଜୀବନକୁ ମୁଁ ସୁଦୂର ପ୍ରସାରି କରିବି । ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ମୋ ପୁଅ କଂଗ୍ରେସରୁ ପ୍ରାର୍ଥୀ ହେବ।"
ଏହା ବି ପଢନ୍ତୁ- ଜଟଣୀବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଚାକିରି ଛାଡିଲି: ମନ୍ମଥ ରାଉତରାୟ
ବିଧାୟକ ସୁର ରାଉତରାୟ ପ୍ରାୟ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ ରାଜନୀତିରେ ରହିଛନ୍ତି । ସେ ବହୁବାର ଜଟଣୀରୁ ବିଧାୟକ ହୋଇଛନ୍ତି । ଏବେ ସୁର ରାଉତରାୟ ଜଟଣୀ ବିଧାୟକ ଅଛନ୍ତି । ୧୯୯୫ରେ ଜାନକୀ ପଟ୍ଟନାୟକଙ୍କ ସରକାରରେ ସୁର କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । କଂଗ୍ରେସ ରାଜନୀତିର ଜଣେ ଜଣାଶୁଣା ଚେହେରା ଭାବେ ସାରା ରାଜ୍ୟରେ ସୁର ଚର୍ଚ୍ଚିତ। ଗତ ୨ ଦିନ ତଳେ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ପାଇଲଟ ଚାକିରିରୁ ଇସ୍ତଫା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଭାରତୀୟ ଏୟାର ଲାଇନ୍ସରେ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ । ଆଗକୁ ରାଜନୀତିରେ ଯୋଗ ଦେବା ଲକ୍ଷ୍ୟରେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଗୃହୀତ ହେବା ପରେ ସେ ସକ୍ରିୟ ରାଜନୀତିରେ ସାମିଲ ହେବେ।
ଇଟିଭି ଭାରତ, ଭୁବନେଶ୍ବର