ରାଉକେଲା: ବସ୍ତି ଉଚ୍ଛେଦ ସମୟରେ ଉତ୍ତେଜନା । ରାଉରକେଲା ସେକ୍ଟର ୧୮ ନିକଟସ୍ଥ ଗଣେଶ ବସ୍ତିରେ ଉନ୍ନତିମୂଳକ କାର୍ଯ୍ୟ ହେବାକୁ ନେଇ ବସ୍ତି ଉଚ୍ଛେଦ ଚାଲିଥିବାବେଳେ ଦେଖାଦେଇଥିଲା ଉତ୍ତେଜନା । ବିରୋଧ କରୁଥିବା ଲୋକଙ୍କୁ ଉଠାଇ ନେଲା ପୋଲିସ । ଉଚ୍ଛେଦସ୍ଥଳରେ ଧାରଣାରେ ବସିଲେ ବସ୍ତିବାସିନ୍ଦା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।
ସୋମବାର ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏଠାରେ ହେବାକୁ ଥିବା ଉନ୍ନତିମୂଳକ କାର୍ଯ୍ୟକୁ ନେଇ ଗଣେଶ ବସ୍ତି ଉଚ୍ଛେଦ ହେଉଥିଲା । ବସ୍ତି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସେହି ସମୟରେ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଅନୁସାରେ ରାଉରକେଲା ଇସ୍ପାତ କାରଖାନାର ଉନ୍ନତିମୂଳକ କାମ ପାଇଁ ୩ ମାସ ଆଗରୁ ବସ୍ତି ଉଚ୍ଛେଦ ପାଇଁ ନୋଟିସ ଦିଆଯାଇଥିଲା । କିନ୍ତୁ ବସ୍ତି ବାସିନ୍ଦା ଶୁଣିନଥିଲେ । ତେଣୁ ରାଉରକେଲା ଇସ୍ପାତ କାରଖାନା ଆଜି ସେକ୍ଟର ୧୮ ଗଣେଶ ବସ୍ତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ପହଞ୍ଚିଥିଲା । ଏନେଇ ବସ୍ତିବାସିନ୍ଦାଙ୍କ ଆକ୍ରୋଶର ଶିକାର ହୋଇଥିଲେ ଉଚ୍ଛେଦ ପ୍ରକ୍ରିୟାରେ ନିଯୁକ୍ତ ହୋଇଥିବା କର୍ମଚାରୀ । ବସ୍ତିବାସିନ୍ଦା ବିରୋଧ କରୁଥିବାବେଳେ ଏଠାରେ ପହଞ୍ଚି ବସ୍ତିବାସିନ୍ଦାଙ୍କୁ ସମର୍ଥନ କରିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ।
ତେବେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟକୁ ବିରୋଧ କରିବାରୁ ମୁକ୍ତିକାନ୍ତ ବିଶ୍ବାଳଙ୍କ ସମେତ ଅନେକ ମହିଳାଙ୍କ ବସ୍ତିରୁ ଉଠାଇ ନେଇଛି ପୋଲିସ । ଥାନାରେ ସମସ୍ତଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଏହି ବସ୍ତି ଉଚ୍ଛେଦ ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ବସ୍ତିକୁ ଖାଲି କରିବାକୁ ପ୍ରାୟ ୩ ମାସ ପୂର୍ବରୁ ନୋଟିସ ଦିଆଯାଇଥିଲା । ଏହାସତ୍ତ୍ବେ ଆଜି ପର୍ଯ୍ୟନ୍ତ ବସ୍ତିବାସିନ୍ଦା ସ୍ଥାନାନ୍ତର ହୋଇନଥିଲେ । ତେବେ ଉଚ୍ଛେଦ ସମୟରେ ଅନେକ ମହିଳା ଏବଂ ସ୍କୁଲ ଛାତ୍ରଛାତ୍ରୀ ଆନ୍ଦୋଳନରେ ବସିଥିଲେ । ବର୍ତ୍ତମାନ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ପୋଲିସ । ଉତ୍ତେଜନା ପ୍ରକାଶ ପାଇଥିବା ସ୍ଥାନରେ ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇବା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ରାଉରକେଲା ଇସ୍ପାତ କାରଖାନା ନିଜର ମନମାନି ଚଳାଉଥିବା କହି ଏହାକୁ ବିରୋଧ କରିଛନ୍ତି ଗଣେଶ ବସ୍ତିବାସିନ୍ଦା ।
ଇଟିଭି ଭାରତ, ରାଉରକେଲା