ସୁବର୍ଣ୍ଣପୁର: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରରେ ଚାଲିଛି ଭୋଟ ଗ୍ରହଣ । ଏହି ମହାପର୍ବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ସାମିଲ ହୋଇଛନ୍ତି । ନିଜ ପୈତୃକ ଗାଁ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଭୋଟ ଦେଇଛନ୍ତି ।
ସୂଚନାଅନୁସାରେ, ଡୁଙ୍ଗୁରିପାଲି ବ୍ଲକର ୨୬ ଗୋଟି ପଞ୍ଚାୟତରେ ୩୩୦ ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୫୦ ଗୋଟି ବୁଥ ସମ୍ବେଦନଶୀଳ ଓ ୬ ଗୋଟି ବୁଥ୍ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ତିନୋଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ହେଉଥିବାରୁ ଏଥିରେ ୧୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୭୩ ଜଣ ସମିତି ସଭ୍ୟ ଓ ୧୦୬ ଜଣ ସରପଞ୍ଚ ପ୍ରାର୍ଥୀ ରହିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ସର୍ବମୋଟ ୯୬ ହଜାର ୭ ଶହ ୬୦ ଜଣ ଭୋଟର ନିଜର ମତଦାନ କରୁଛନ୍ତି ।
ପ୍ରକାଶଥାଉ କି, ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରୁଛନ୍ତି ମତଦାତା । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମ ପଞ୍ଚାୟତରେ ଭୋଟଗ୍ରହଣ ଚାଲୁଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ