ସୁବର୍ଣ୍ଣପୁର : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି (ଶନିବାର) ସହରର ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ନଗର କଂଗ୍ରେସ ସଭାପତି ସୁଧୀର ପଣ୍ଡାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । କେନ୍ଦ୍ର ସରକାର 12 ଦିନରେ 10 ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଥିବାବେଳେ ଗ୍ୟାସ ଦରବି ଅହେତୁକ ଭାବେ ବୃଦ୍ଧି ହୋଇଛି ।
ସେହିପରି ଦୈନନ୍ଦିନ ଜୀବନରେ ଆବଶ୍ୟକତା ରାସନ ସାମଗ୍ରୀ ଦର ବୃଦ୍ଧି ଘଟୁଥିବାବେଳେ ଖାଇବା ତେଲ ଦର କିଚେନ ବଜେଟ ବିଗାଡି ଦେଇଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ ଦର ନିୟନ୍ତ୍ରଣ କରି ଖାଉଟିଙ୍କୁ ସୁହାଇବା ପରି ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଖାଲି ସହରରେ ନୁହେଁ କଂଗ୍ରେସ କମିଟି ପୌର ନିର୍ବାଚନ ପରେ ପରେ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛି । ଆଜି ଆନ୍ଦୋଳନରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ତେବେ ଦର ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଜାରି ରଖିବେ ବୋଲି ନଗର କଂଗ୍ରେସ ସଭାପତି ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ