ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଅଭାବନୀୟ ଘଟଣା । ଜଳୁଥିବା ଜୁଇକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅଵସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ହେଉଛନ୍ତି ବେଲେଶ୍ବର ଅଞ୍ଚଳର ରମା ଦାସ ।
ତେବେ ତାଙ୍କର ପରିବାର କେହି ନ ଥିବା ହେତୁ ମାନସିକ ଭାରସାମ୍ୟ ହରେଇ ଏଭଳି ଚରମ ପଦକ୍ଷେପ ନେଇ ଥିବା ଜଣାପଡିଛି । ଯାହାକି ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବାହ୍ନରେ ସ୍ବର୍ଗଦ୍ବାରରେ ଏକ ଜୁଇ ଜଳୁଥିବା ବେଳେ ହଠାତ୍ ରମା ଜୁଇକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମୃତଦେହକୁ ଦାହ ପାଇଁ ଯାଇଥିବା ଏକ ସାମାଜିକ ସଂଗଠନ ସାହିଭାଇର ସଦସ୍ୟ ମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।
ରମାଙ୍କର କେହି ସମ୍ପକୀୟ ନଥିବା ବେଳେ ସେ ନିରାଶ ହୋଇ ଏଭଳି କରିଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କର ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ପୋଡି ହୋଇଥିବା ରୋଗୀଙ୍କ ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟରେ କୌଣସି ଚିକିତ୍ସା ବ୍ୟବସ୍ଥା ନ ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ