ବ୍ରହ୍ମଗିରି : ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ପହିଲି ରଜ, ରଜ ସଂକ୍ରାନ୍ତି ପରେ ଆଜି ଶେଷ ରଜ ପାଳୁଛନ୍ତି ରାଜ୍ୟବାସୀ । ଶେଷ ରଜକୁ ଧୁମଧାମରେ ପାଳିବା ପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ଏହି କ୍ରମରେ ବ୍ରହ୍ମଗିରିର ମା' ବାଲିହରଚଣ୍ଡୀ ପୀଠରେ ରଜ ଉତ୍ସବ ଧୁମଧାମରେ ପାଳନ ହେଉଛି । ତେବେ ଏଠିକାର ରଜ ପର୍ବ ଏକ ନିଆରା ଢଙ୍ଗରେ ପାଳିତ ହେଉଛି । ଯାହାକୁ ଦେଖିବା ପାଇଁ ପ୍ରତିଦିନ ବ୍ରହ୍ମଗିରି ଏବଂ ରାଜ୍ୟ ବାହାରର ଦର୍ଶକଙ୍କ ଭିଡ଼ ଜମୁଛି ।
କାରଣ ଏହି ଉତ୍ସବ ସହିତ ଯୋଡି ହୋଇ ରହିଛି ନିଆରା ଏକ ପରମ୍ପରା ଛାପା ବା ଅସ୍ଥାୟୀ ତମ୍ବୁ ଘର । ଏହା ଓଡିଶାର କେଉଁଠାରେ ଦେଖିବାକୁ ମିଳିନଥାଏ । ଏହି ପରମ୍ପରା କେବେଠାରୁ ଆରମ୍ଭ ହୋଇଛି ତାହାର ସଠିକ ତଥ୍ୟ ମିଳୁ ନାହିଁ। ବୀର ପାଇକ ପୁଅମାନେ ଅବସର ବିନୋଦନ ପାଇଁ ପୀଠକୁ ଆସି ନିଜ କଳା କୌଶଳ ପ୍ରଦର୍ଶନ କରିବା ସହିତ ନିଜ ନିଜ ଭିତରେ କୌଶଳ ଶିକ୍ଷା ଆଦାନ ପ୍ରଦାନ କରିଥାନ୍ତି । ରଜ ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଚଷା ପୁଅମାନେ ଫସଲ ଅମଳ କରି ମା'ଙ୍କ ପୀଠକୁ ଆସି ଏହି ଉତ୍ସବର ମଜା ଉଠାଇଥାନ୍ତି ।
ଅଞ୍ଚଳର ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଗ୍ରାମର ଲୋକମାନେ ଘର ପିଛା ଚାନ୍ଦା ଆଦାୟ କରି ପରିବାରର ସମସ୍ତ ପୁରୁଷମାନେ ଏହି ପୀଠକୁ ଆସିଥାନ୍ତି । ଏଠି ରଜ ୪ଦିନ ଛାପା ପକାଇ ରହିବା ସହିତ ମାଂସ ମାଛର ଭୋଜିର ଆସର ଜମିଥାଏ । ତାସ ଖେଳ, କବାଡି, କୁସ୍ତି, ପାଇକ ଖେଳ ଆଦି ପାରମ୍ପରିକ ଖେଳରେ ମଜି ରହିଥାନ୍ତି । ଯାହା ପୂର୍ବ ଶତ୍ରୁତାକୁ ଭୁଲି ନିଜ ନିଜ ଗ୍ରାମ ଭିତରେ ଏକ ଭାଇଚାର ଦିଗଦର୍ଶନ ଦେଇଥାଏ । ଶାନ୍ତି ଶୃଙ୍ଖଳା ଭିତରେ ରଜ ପର୍ବ ଯୁବକମାନେ ପାଳନ କରିଥାନ୍ତି ।
ଜନ ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବିଧା କରାଯାଇଥାଏ । ମିନା ବଜାର, ଯାତ୍ରା ପାଟି, ନାନା ପ୍ରକାରର ଦୋକାନ ବଜାରର ମେଳା ଲାଗିଥାଏ । ନିକଟରେ ଥିବା ପଲଙ୍କ ଗ୍ରାମର ଯୁବକ ସଙ୍ଘ ପକ୍ଷରୁ ଶାନ୍ତି ଶୃଙ୍ଖଳା, ପାନୀୟଜଳ ପ୍ରଦାନ ଆଦି ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିଥାନ୍ତି ।
ଇଟିଭି ଭାରତ, ବ୍ରହ୍ମଗିରି