ନୂଆପଡା: ଜିଲ୍ଲା ଖଡ଼ିଆଳ ବ୍ଲକ ଭୋଜପୁର ଧାନ ମଣ୍ଡିରେ ଅର୍ଣ୍ଣଦାତା ଚାଷୀଙ୍କ ଉତ୍ତେଜନା । ମଣ୍ଡିରୁ ଧାନ ନ ଉଠିଲେ ଧାନ ଅଖାରେ ନିଆଁ ଲଗାଇଦେବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଟୋକନ ଲ୍ୟାପ୍ସ ହୋଇଯିବାରୁ ଉତ୍ତ୍ୟକ୍ତ ହୋଇଛନ୍ତି ଚାଷୀ । ଭୋଜପୁର ମଣ୍ଡିରେ ଜାନୁଆରୀ 3 ତାରିଖରେ 14 ଜଣ ଚାଷୀଙ୍କ ସମୁଦାୟ 500 କ୍ବିଣ୍ଟାଲ ଧାନ ଟୋକନ ଥିଲା । ମାସ ଯାକ ମଣ୍ଡିରେ ଧାନ ପଡ଼ିରହିଥିଲେ ମଧ୍ୟ ମିଲର ଧାନ ନେଇନଥିଲେ ।
ଫଳରେ ଫେବୃଆରୀ 3 ତାରିଖ ଆଜି(ଗୁରୁବାର) ଟୋକନ ଅବଧି ଶେଷ ହୋଇଯାଇଛି । ଏବେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ବସ୍ତା ବସ୍ତା ଧାନ ନେବେ କୁଆଡେ, କଣ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କ ଧାନ ଉଠାଇବା ପାଇଁ ଦାବି କରିଛନ୍ତି ଚାଷୀ । ନଚେତ ମଣ୍ଡିରେ ନିଆଁ ଲଗାଇ ଧାନ ସବୁ ପୋଡ଼ିଦେବେ ବୋଲି ଚାଷୀ ଗଣ ଚେତାବନୀ ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ