ରାଇରଙ୍ଗପୁର: ଲକଡାଉନ ସମୟରେ ରକ୍ତଦାନ । ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିଦିନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲଡ ବ୍ୟାଙ୍କ ତରଫରୁ ଆହ୍ବାନ କରାଯାଇଛି।
ସମଗ୍ର ଦେଶରେ ଲକଡାଉନ୍ ଘୋଷଣା ହୋଇଥିବାରୁ ଗୁରୁତର ତଥା ଥାଲାସେମିଆ ପରି ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀ ହୋଇପଡିଛି ରକ୍ତର ଆବଶ୍ୟକତା । ଏନେଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ରକ୍ତ ସଂଗ୍ରହ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ମହାମାରୀ କୋରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ବ୍ଲଡ ବ୍ୟାଙ୍କରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ପ୍ରତିଦିନ ସକାଳ ୧୦ ଟା ରୁ ୧୨ ଟା ପର୍ଯ୍ୟନ୍ତ ପାଞ୍ଚ ଜଣଙ୍କୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ନିବେଦନ କରାଯାଇଛି।
ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନୂତନ ବ୍ଲଡ ବ୍ୟାଙ୍କ ଅଫିସର ଡାକ୍ତର ପବିତ୍ର ପ୍ରତ୍ୟୁଷ ମିଶ୍ର ସର୍ବ ପ୍ରଥମେ ରକ୍ତଦାନ କରିଥିଲେ । ଏହା ପରେ ରାଇରଙ୍ଗପୁର ଟାଉନ ଥାନା ଏସଆଇ ସନ୍ତୋଷ କୁମାର ଖେସ୍ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରକ୍ତ ସଂଗ୍ରହ ପାଇଁ ବ୍ଲଡ ବ୍ୟାଙ୍କର ଟେକ୍ନିସିଆନ, କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ