ମାଲକାନଗିରି: 15 ଫୁଟିଆ ଅଜଗର ସାପ ଉଦ୍ଧାର । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କ ଘରକୁ କୁକୁଡା ଖାଇବାକୁ ଆସିଥିଲା ଏହି ବିଶାଳକାୟ ଅଜଗର । ତେବେ ସେ ଏଠାରେ କୁକୁଡା ଭାଡିରୁ ଗୋଟିଏ କୁକୁଡା ଖାଇସାରିଲା ପରେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ସାପଟି ପ୍ରାୟ ୧୫ ଫୁଟ ଲମ୍ବ ଥିବା ବେଳେ ଏହାର ଓଜନ ୨୦ କିଲୋଗ୍ରାମ ।
ସାପଟି ଖାଦ୍ୟ ସଂଗ୍ରହ କରିବାକୁ ଆସିଥିବା ବେଳେ ସାହି ଲୋକେ ଦେଖି ସ୍ନେକ ହେଲ୍ପ ଲାଇନ ନମ୍ବରକୁ ଖବର ଦେଇଥିଲେ । ଖବର ପାଇବା ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସତ୍ୟଜିତ ଗୌଡ଼ ଓ ବିଭୁତି ଭୂଷଣ ଆସି ସାପଟିକୁ ଉଦ୍ଧାର କରିଥିଲେ । ସାପକୁ ଉଦ୍ଧାର କରିବା ପରେ ରବିବାର ମାଲକାନଗିରି ବନାଞ୍ଚଳ ବିଭାଗକୁ ଦିଆଯାଇଛି । ଆଜିକାଲି ଲୋକେ ଜଙ୍ଗଲରୁ ଗଛ କାଟିବା ଓ ବର୍ଷା ଫଳରେ ଖାଦ୍ୟ ସନ୍ଧାନରେ ସାପଟି ଜଙ୍ଗଲରୁ ଗାଁ ଭିତରକୁ ଚାଲିଆସିଥିବା ଜଣାପଡିଛି ।
ଇତି ମଧ୍ୟରେ ୬ ମାସ ହେବ କୋରୋନା ମହାମାରୀ ରୋଗ ବ୍ୟାପୁଥିବା ବେଳେ ସତ୍ୟଜିତ ତାଙ୍କ କାମକୁ ନିପୁଣ ଭାବେ ତୁଲାଇଛନ୍ତି । ସତ୍ୟଜିତ ଗୌଡଙ୍କୁ ନିଜର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ବନାଞ୍ଚଳ ବିଭାଗ ତରଫରୁ କୌଣସି ପ୍ରକାର ସରକାରୀ ସୁବିଧା ମିଳୁନି ବୋଲି ଅଭିଯୋଗ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଗତ ୩ ମାସ ଭିତରେ ପ୍ରାୟ ୧୦ଟି ଅଜଗର ସାପ ଉଦ୍ଧାର କରାଯାଇଥିବା ବେଳେ ଲୋକେ ଏବେ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ