କୋରାପୁଟ: ଗତ କିଛିଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଫୁଟବଲ ଓ କ୍ରିକେଟ ତାଲିମ ଶିବିର ଉଦ୍ଯାପିତ ହୋଇଛି । କଳିଙ୍ଗ କ୍ରୀଡା ତାଲିମ କେନ୍ଦ୍ରର ଟିକି ପଡ଼ିଆରେ ତାଲିମ ନେବା ପରେ ବର୍ତ୍ତମାନ ଅଭ୍ୟାସର ବେଳ । କିନ୍ତୁ ପିଲାଙ୍କ ପାଇଁ କୋରାପୁଟ ସହରରେ ଗୋଟିଏ ବି ଖେଳ ପଡିଆ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସନ୍ତୋଷ ଟ୍ରଫି ଫୁଟବଲ ଖେଳିଥିବା ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା କ୍ରୀଡ଼ାବିତ ହେମା ରାଓ । ତେବେ ଟିକିଏ ତାଲିମ ପାଇଲେ କୋରାପୁଟର ଶିଶୁ କ୍ରିକେଟ, ଫୁଟବଲ, ଭଲିବଲ, ବ୍ୟାଡ୍ମିଣ୍ଟନ ଭଳି ବିଭିନ୍ନ ଖେଳରେ ରାଜ୍ୟ ତଥା ଜାତୀୟସ୍ତରରେ ସୁନାମ ଅର୍ଜନ କରିପାରିବେ ବୋଲି କୋରାପୁଟସ୍ଥିତ କଳିଙ୍ଗ ସ୍ପୋର୍ଟସ ଏକାଡେମୀର ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି କହିଛନ୍ତି ।
ଦିନ ଥିଲା, ଯେତେବେଳେ କୋରାପୁଟ ସହରରେ ପୂଜାରିପୁଟ ଷ୍ଟାଡିୟମ, ହକି ପଡ଼ିଆ, ପୋଲିସ ପରେଡ୍ ପଡିଆ, ରେଳବାଇ ପଡିଆ, ହାଇସ୍କୁଲ ପଡ଼ିଆ ଭଳି ଅନେକ ପଡ଼ିଆ ଯୁବପୀଢିଙ୍କ ଖେଳିବା ପାଇଁ ଉନ୍ମୁକ୍ତ ଥିଲା । ଏହି ପଡିଆରେ ଅଭ୍ୟାସ କରି ରାଜ୍ୟସ୍ତରୀୟ କ୍ରୀଡ଼ା ହେଉ ବା ଜାତୀୟସ୍ତରୀୟ ହକି, ଫୁଟବଲ ହେଉ, ସବୁଥିରେ ସଫଳତାର ସହ ଉତ୍ତମ ପ୍ରଦର୍ଶନ କରି କୋରାପୁଟର କ୍ରୀଡ଼ାବିତ ଜିଲ୍ଲା ପାଇଁ ଗୌରବ ଆଣୁଥିଲେ । ତେବେ ଅଲିମ୍ପିକ୍ସରେ ଭାରତୀୟ ଖେଳାଳୀଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ଭାରତ ସରକାର ଓ ବିଶେଷ କରି ହକି ଦଳର ସଫଳତାକୁ ନେଇ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରାଯାଉଥିବା ବେଳେ କୋରାପୁଟ ଭଳି ଏକ ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମିର ଅଭାବ ଖେଳାଳିଙ୍କୁ ନିରାଶ କରିଛି । କୋରାପୁଟ ମାଟିରୁ ଫୁଟବଲ, ହକି ଓ ଅନ୍ୟାନ୍ୟ ଖେଳରେ ରାଜ୍ୟ ତଥା ଜାତୀୟସ୍ତରରେ ଅନେକ ପ୍ରତିଭା ସୁନାମ ଅର୍ଜନ କରିଥିବା ବେଳେ ଏବେ ଏଠାରେ ଖେଳ ପଡ଼ିଆଟିଏ ନଥିବା ସରକାରୀ ଉଦାସୀନତା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତାର ଜ୍ବଳନ୍ତ ଉଦାହରଣ ବୋଲି ମତପ୍ରକାଶ ପାଇଛି ।
କୋରାପୁଟର ହକି ପଡ଼ିଆ ପୋଲିସ ପକ୍ଷରୁ ଜବତ ହୋଇଥିବା ଗାଡିର ଗୋଦାମ ସାଜିଥିବା ବେଳେ କାହିଁ କେଉଁ କାଳରୁ ଫୁଟବଲ ଖେଳାଯାଉଥିବା ପୋଲିସ ପଡିଆ ସାଧାରଣ ବ୍ୟକ୍ତିଙ୍କ ଖେଳକୁଦ ପାଇଁ ସାଜିଛି ଏକ ନିଷିଦ୍ଧ ସ୍ଥାନ । ପିଲାମାନେ ସ୍କୁଲରେ ପଢିବା ବେଳଠାରୁ ଖେଳକୁଦ କରିବାର ଆବଶ୍ୟକତାକୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଖେଳ ପଡ଼ିଆ ନିର୍ମାଣ କରାଯାଇଥିଲା । କିନ୍ତୁ ବିଦ୍ୟାଳୟରେ କ୍ରୀଡ଼ାର ପ୍ରୋତ୍ସାହନ ଦିଗରେ ସରକାରୀ ଅବହେଳାର ସୁଯୋଗ ନେଇ ପ୍ରଶାସନର ଆରଟିଓ କାର୍ଯ୍ୟାଳୟ ଦ୍ବାରା ଗାଡି ଲାଇସେନ୍ସ ଓ ଫିଟନେସ ପରୀକ୍ଷା କରିବା ପାଇଁ ବ୍ୟବହାର କରାଯାଉଥିବା ଯୋଗୁଁ ପିଲାଙ୍କ ପାଇଁ ଖେଳ ପଡିଆ ଉଭେଇଗଲା । କୋରାପୁଟରେ ଥିବା ଷ୍ଟାଡିୟମଟିର ପୁନରୁଦ୍ଧାର କରାଯିବା ଦେଖି ବର୍ଷବର୍ଷ ଧରି ଖେଳି ଆସୁଥିବା ଯୁବ ଗୋଷ୍ଠୀ ଏକ ସୁନ୍ଦର ପଡ଼ିଆ ପାଇବାର ସ୍ବପ୍ନ ଦେଖୁଥିବା ବେଳେ ବର୍ତ୍ତମାନ ଏଠାରେ ଖେଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇ ପ୍ରବେଶ ଶୁଳ୍କ ଦେଇ କେବଳ ଚାଲିବା ପାଇଁ ସୀମିତ କରିଦିଆଯାଇଥିବା ଦେଖି ସେମାନେ ମଧ୍ୟ ହତାଶ ହୋଇପଡିଛନ୍ତି ।
ଇଟିଭି ଭାରତ, କୋରାପୁଟ