ଭୁବନେଶ୍ବର: ଫେବୃଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ପଦୋନ୍ନତି ଅଦାଲତ । ଅଦାଲତ ଆୟୋଜନ ନିମନ୍ତେ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ୨୦୨୨ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀ ପଦୋନ୍ନତି ପାଇପାରିଥାନ୍ତେ, କିନ୍ତୁ ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗଗୁଡ଼ିକ ପଦୋନ୍ନତି ଅଦାଲତରେ ବିଚାରକୁ ନିଆଯିବ । ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣ ବରିଷ୍ଠ ଅଧିକାରୀ ଅଭିଯୋଗ ଶୁଣାଣୀ କରିବେ ।
ଇମେଲ ଜରିଆରେ ସମୁଦାୟ ୧୩୨୬ ଟି ଆବେଦନପତ୍ର ଗ୍ରହଣ କରାଯାଇଛି । ତନ୍ମଧ୍ୟରୁ gadmin.or@nic.in ଜରିଆରେ ମିଳିଥିବା ୬୭୧ଟି ଆବେଦନପତ୍ର ଓ ପଦୋନ୍ନତି ଅଦାଲତ ପୋର୍ଟାଲ http://promotion.hrmsodisha.gov.in ଜରିଆରେ ମିଳିଥିବା ୬୫୫ଟି ଆବେଦନପତ୍ରକୁ ପଦୋନ୍ନତି ଅଦାଲତରେ ପେଶ୍ କରାଯିବ । ଆବେଦନକାରୀମାନଙ୍କୁ ପ୍ରାପ୍ତିସ୍ୱୀକାର ପଠାଇ ଦିଆଯାଇଛି । ଇମେଲ ବା ପଦୋନ୍ନତି ଅଦାଲତ ପୋର୍ଟାଲରେ ଉପଲବ୍ଧ ପ୍ରାପ୍ତିସ୍ୱୀକାରର ଗୋଟିଏ ଫଟୋକପି ଆଣିବାକୁ ସଂପୃକ୍ତ ଆବେଦନକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେଉଥିବା ସ୍ଥାନ ଗୁଡ଼ିକୁ କେବଳ ଆବେଦନକାରୀମାନେ ପ୍ରବେଶ କରିପାରିବେ । ପଦୋନ୍ନତି ଅଦାଲତଗୁଡ଼ିକର ବିସ୍ତୃତ କାର୍ଯ୍ୟସୂଚୀ ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ବିଭାଗର ୱେବସାଇଟରୁ ମିଳପାରିବ । ପଦୋନ୍ନତି ଅଦାଲତର ଦାୟିତ୍ୱାଧିନ ଅଧିକାରୀ, ସ୍ଥାନ, ବିଭାଗ, ତାରିଖ ଓ ସମୟ ନିର୍ଘଣ୍ଟ ଆଦି ସ୍ଥିରୀକୃତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଫେବୃଆରୀ ୧ ତାରିଖ ସକାଳ ୧୦ଟାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅପରାହ୍ନ ୩ଟାରେ ଯୋଜନା ଓ ସଂଯୋଜନ ବିଭାଗ, ଫେବୃଆରୀ ୨ ତାରିଖ ସକାଳ ୧୦ଟାରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଅପରାହ୍ନ ୩ ରେ ଇସ୍ପାତ ଓ ଖଣି ବିଭାଗ, ଫେବୃଆରୀ ୩ ତାରିଖ ସକାଳ ୧୦ଟାରେ ଜଙ୍ଗଲ ଓ ପରିବେଶ ବିଭାଗର ଆବେଦନଗୁଡ଼ିକର ବିଚାର ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭଯୋଗ ପ୍ରକୋଷ୍ଠରେ ଫେବୃଆରୀ ୧ ତାରିଖ ସକାଳ ୧୦ଟାରେ ଉଚ୍ଚଶିକ୍ଷା ବିଭାଗ, ଅପରାହ୍ନ ୩ଟାରେ ବିଜ୍ଞାନ ଓ ବୈଷୟିକ ବିଭାଗ, ଫେବୃଆରୀ ୨ ତାରିଖ ସକାଳ ୧୦ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ୩ଟାରେ ସାଧାରଣ ଉଦ୍ୟୋଗ ବିଭାଗ, ଫେବୃଆରୀ ୩ ତାରିଖ ସକାଳ ୧୦ଟାରେ କ୍ରୀଡ଼ା ଓ ଯୁବସେବା ବିଭାଗ, ଅପରାହ୍ନ ୩ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରୁ ମିଳିଥିବା ଆବେଦନଗୁଡ଼ିକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ନିକୁଞ୍ଜ କିଶୋର ସୁନ୍ଦରରାୟଙ୍କ ଅଦାଲତରେ ବିଚାର ହେବ । ଗୋପବନ୍ଧୁ ଏକାଡେମୀର ନୂତନ ସମ୍ମିଳନୀ କକ୍ଷରେ ଫେବୃଆରୀ ୧ ତାରିଖ ଦିନ ସକାଳ ୧୦ଟାରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ, ଅପରାହ୍ନ ୩ଟାରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଫେବୃଆରୀ ୨ ତାରିଖ ଦିନ ସକାଳ ୧୦ଟାରେ ଅବକାରୀ ବିଭାଗ, ଅପରାହ୍ନ ୩ଟାରେ ସୂଚନା ଓ ଲୋକସଂପର୍କ ବିଭାଗ, ଫେବୃଆରୀ ୩ ତାରିଖ ସକାଳ ୧୦ଟାରେ ସମବାୟ ବିଭାଗର ଆବେଦନଗୁଡ଼ିକର ବିଚାର ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି ।
କଳିଙ୍ଗ ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଫେବୃଆରୀ ୧ ତାରିଖ ସକାଳ ୧୦ଟାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ, ଅପରାହ୍ନ ୩ଟାରେ ବାଣିଜ୍ୟ ଓ ପରିବହନ ବିଭାଗ(ବାଣିଜ୍ୟ), ଫେବୃଆରୀ ୨ ତାରିଖ ଦିନ ସକାଳ ୧୦ଟାରେ ଜଳସଂପଦ ବିଭାଗ, ଅପରାହ୍ନ ୩ଟାରେ ପୂର୍ତ୍ତ ବିଭାଗ, ଫେବୃଆରୀ ୩ ତାରିଖରେ ସକାଳ ୧୦ଟାରେ ବାଣିଜ୍ୟ ଓ ପରିବହନ (ପରିବହନ) ବିଭାଗ, ଅପରାହ୍ନ ୩ଟାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ଆବେଦନଗୁଡ଼ିକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ବିଚାର କରିବେ ।
ଇଡକୋ ଭବନର ପଞ୍ଚମ ମହଲା ସମ୍ମିଳନୀ କକ୍ଷରେ ଫେବୃଆରୀ ୧ ତାରିଖ ୧୦ଟାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଅପରାହ୍ନ ୩ଟାରେ ଅର୍ଥ ବିଭାଗ, ଫେବୃଆରୀ ୨ ତାରିଖ ସକାଳ ୧୦ଟାରେ ଶକ୍ତି ବିଭାଗ, ଅପରାହ୍ନ ୩ଟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଫେବୃଆରୀ ୩ ତାରିଖ ସକାଳ ୧୦ଟାରେ ପର୍ଯ୍ୟଟନ ବିଭାଗ, ଅପରାହ୍ନ ୩ଟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆବେଦନଗୁଡ଼ିକୁ ବିଚାର ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । କୃଷି ଭବନ ପ୍ରେକ୍ଷାଳୟରେ ଫେବୃଆରୀ ୧ ତାରିଖ ସକାଳ ୧୦ଟାରେ କୃଷି ବିଭାଗ, ଅପରାହ୍ନ ୩ଟାରେ ସଂସଦୀୟ ବ୍ୟାପାର ବିଭାଗ, ଫେବୃଆରୀ ୨ ତାରିଖ ସକାଳ ୧୦ଟାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅପରାହ୍ନ ୩ଟାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଫେବୃଆରୀ ୩ ତାରିଖ ଦିନ ସକାଳ ୧୦ଟାରେ ଗୃହ ବିଭାଗ, ଅପରାହ୍ନ ୩ଟାରେ ସାଧାରଣ ଅଭିଯୋଗ ଓ ସାଧାରଣ ଅଭିଯୋଗ ବିଭାଗର ଆବେଦନଗୁଡ଼ିକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଚାର କରିବେ । ୟୁନିଟ ୮ ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ
ଫେବୃଆରୀ ୧ ତାରିଖ ସକାଳ ୧୦ଟାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅପରାହ୍ନ ୩ଟାରେ ଆଇନ ବିଭାଗ, ଫେବୃଆରୀ ୨ ତାରିଖ ସକାଳ ୧୦ଟାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅପରାହ୍ନ ୩ଟାରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ଫେବୃଆରୀ ୩ ତାରିଖ ସକାଳ ୧୦ଟାରେ ଶିଳ୍ପ ବିଭାଗ, ଅପରାହ୍ନ ୩ଟାରେ ଏମଏସଏମଇ ବିଭାଗର ଆବେଦନପତ୍ର ଗୁଡ଼ିକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଦାଲତରେ ଉପସ୍ଥାପନ କରାଯିବ । ଆବଶ୍ୟକ ସ୍ଥଳେ ସମୟ ନିର୍ଘଣ୍ଟକୁ ବୃଦ୍ଧି କରାଯାଇପାରେ ।
ଇଟିଭି ଭାରତ, ଭୁବନେଶ୍ବର