ଭୁବନେଶ୍ବର: ରାଜ୍ୟରେ ମାଓ ଗତିବିଧି ନେଇ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପୋଲିସ ଡିଜି ସୁନୀଲ କୁମାର ବଂଶଲ୍ଙ୍କ ଅଧ୍ୟକ୍ଷତାରେ ଏକାଠି ହୋଇଛନ୍ତି ଗୁଇନ୍ଦା ସମେତ ସମସ୍ତ ନକ୍ସଲ ପ୍ରଭାବିତ ଜିଲ୍ଲାର ଏସ୍ପି ଓ ରେଞ୍ଜ ଆଇଜି । ବୈଠକରେ CRPF IG, DIG ଏବଂ BSF IG ଓ DIG ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥର ମାଓ ମୁକାବିଲା ନେଇ ନୂଆ 11ଟି ସିଓବି ପ୍ରତିଷ୍ଠା ସହ ଡ୍ରୋନ ଅପରେସନ ଓ ନାଇଟ୍ ଭିଜନ କ୍ୟାମେରା ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉପରେ ଆଲୋଚନା କରାଯାଉଛି । ବିଶେଷ କରି ବୈଠକରେ ବୌଦ୍ଧ ଜିଲ୍ଲାରେ ମାଓ ଉପଦ୍ରବ ଓ KKBN (କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼) ମାଓ ସଂଗଠନର ସକ୍ରିୟତା ଉପରେ ଗୁରୁତ୍ବାରୋପ କରାଯାଇଛି ।
ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ADG ଅପରେସନ ଦେବଦତ୍ତ ସିଂହ, SIWର DIG ଉମାଶଙ୍କର ଦାସଙ୍କ ସହ ଡିଆଇଜି ଇଣ୍ଟେଲିଜେନସ୍ ଅନୁପ ସାହୁ ମଧ୍ୟ ଉପସ୍ଥିତ ରହି ଏସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଯେହେତୁ ଆଗକୁ ନିର୍ବାଚନ ଆସୁଛି, ଏଭଳି ସମୟରେ କିପରି ମାଓ ଉପଦ୍ରବ ମୁକାବିଲା କରାଯିବ ସେଥିପାଇଁ ପ୍ରସ୍ତୁତି ରହିବା ନେଇ ବୈଠକରେ ଆଲୋଚନା କରାଯାଇଛି । ୧୦ ନକ୍ସଲ ଅଧ୍ୟୁଷିତ ଜିଲ୍ଲା କୋରାପୁଟ, ମାଲକାନଗିରି, ବରଗଡ଼, ରାୟଗଡ଼ା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, କନ୍ଧମାଳ ଓ ସୁନ୍ଦରଗଡ଼ରେ ମାଓବାଦୀ ଆକ୍ଟିଭ ରହିଛନ୍ତି । ଏଭଳି ସ୍ଥିତିରେ ୨୦୨୦ରେ ପୂର୍ବତନ ଡିଜି ଅଭୟଙ୍କ ସମୟରେ ମାଓମୁକ୍ତ ଘୋଷଣା ହୋଇଥିବା ବୌଦ୍ଧ ଜିଲ୍ଲାରେ ଏବେ କିନ୍ତୁ ମାଓବାଦୀଙ୍କ ହଙ୍ଗାମା ପୁଣି ଓଡ଼ିଶା ପୋଲିସକୁ ଚିନ୍ତାରେ ପକାଇଛି । ଏନେଇ ନକ୍ସଲ ଦମନ ପାଇଁ କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହେଉଥିବା ବୌଦ୍ଧ ଜିଲ୍ଲାକୁ ପୁଣି SRE (କେନ୍ଦ୍ରୀୟ ପାଣ୍ଠି) ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପୁଣି ଚିଠି ଲେଖିଛି ଓଡ଼ିଶା ପୋଲିସ ।
ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରେ ଯବାନ-ମାଓବାଦୀ ମୁହାଁମୁହିଁ, ନଲିକୁପା ଜଙ୍ଗଲରେ ଗୁଳି ବିନିମୟ
ପ୍ରକାଶଯୋଗ୍ୟ, ଗତ ଡିସେମ୍ବର ୧୪ରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡି ଅଞ୍ଚଳର ନଲିକୁପା ଗ୍ରାମ ନିକଟରେ ଏକ ମାଓ ଗୁଳିବିନିମୟ ହୋଇଥିଲା । ବୌଦ୍ଧ ଜିଲ୍ଲାର ସୀମାନ୍ତ, ଯାହା କନ୍ଧମାଳ ଜିଲ୍ଲାକୁ ଲାଗି ରହିଛି, ସେସବୁ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସକ୍ରିୟ ହୋଇଥିଲା । ସେହିପରି ଗୁନ୍ଦୁଳିଆ ପଞ୍ଚାୟତର ତିଲପଙ୍ଗା ଜଙ୍ଗଲ ନିକଟବର୍ତ୍ତୀ ରାବଣେଶ୍ବର ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ପ୍ରବଳ ଫାୟାରିଙ୍ଗ ହୋଇଥିଲା । ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ସେହିପରି ଜାନୁଆରୀରେ ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଖୁଣ୍ଟିଗୋରାରେ ମଧ୍ୟ ଲାଗିଥିଲା ମାଓବାଦୀଙ୍କ ପୋଷ୍ଟର । କଳାହାଣ୍ଡି ଟାପରେଙ୍ଗରେ ୩ ଜଣ ମାଓବାଦୀଙ୍କ ଏନକାଉଣ୍ଟର ବିରୋଧରେ କେକେବିଏନ ମାଓ ଡିଭିଜନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇ ଖୁଣ୍ଟିଗୋରାରେ ମାଓବାଦୀଙ୍କ ନାଁରେ ଧମକପୂର୍ଣ୍ଣ ପୋଷ୍ଟର ଲାଗାଯାଇଥିଲା । ତେଣୁ ବୌଦ୍ଧ ଜିଲ୍ଲାକୁ ନେଇ ପୁଣି ଟେନସନ୍ ବଢିଛି ।
ଏହା ମଧ୍ୟ ପଢ଼ନ୍ତୁ...ଲୋକଙ୍କ ଆସ୍ଥା ଭାଜନ ପ୍ରୟାସ, ମାଓ ଇଲାକାରେ CRPFର ସ୍ବାସ୍ଥ୍ୟ କ୍ୟାମ୍ପ୍
KKBN ମାଓ ସଂଗଠନ ଏବେ ପ୍ରତିଶୋଧ ପରାୟଣ ହୋଇଛି । ଟାପରେଙ୍ଗରେ କେକେବିଏନ୍ର ୩ ମାଓବାଦୀଙ୍କ ମୃତ୍ୟୁର ବଦଲା ନେବା ମୁଡ୍ରେ ଅଛି ସଂଗଠନ । ଏନେଇ ଡିଭିଜନ୍ ସଂଗଠନ ସମ୍ଭାଳିଥିବା ମୋଷ୍ଟ ୱାଣ୍ଟେଡ୍, ମାଓ ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ଓଡ଼ିଶା ଷ୍ଟେଟ୍ କମିଟି ସମ୍ପାଦକ ପ୍ରମୋଦ ଓରଫ୍ ପାଣ୍ଡୁ ଏବେ ଓଡ଼ିଶା ନେତୃତ୍ବରେ ୮୦ରୁ ଅଧିକ ସଦସ୍ୟ ନେଇ ସକ୍ରିୟ ଭାବେ ବିଚରଣ କରୁଛି । ତେଣୁ ଏମାନେ କୌଣସି ମୂହୁର୍ତ୍ତରେ କିଛି ବି କାଣ୍ଡ ଘଟାଇପାରନ୍ତି । ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାର ଏସ୍ପି ଓ ରେଞ୍ଜ ଆଇଜିଙ୍କ ସହ ଆଲୋଚନା ଚାଲିଛି ।
ଇଟିଭି ଭାରତ, ଭୁବନେଶ୍ବର