ଭୁବନେଶ୍ବର: ନବ ନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନିଟି ବିଭାଗର ୨୬୯ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭିତ୍ତିଭୂମି ସୃଷ୍ଟି କରାଯାଉଛି ବୋଲି କହିଛନ୍ତି । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଛନ୍ତି ନବନିଯୁକ୍ତ ସରକାରୀ ଅଧିକାରୀ । ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ କାମ କରିବାକୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକସେବା ଭବନ କନଭେନସନ ସେଣ୍ଟରରେ ନିଯୁକ୍ତି ପର୍ବ ଆୟୋଜନ ହୋଇଥିଲା । ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଦିଗଦର୍ଶନ ଦେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ୧୬୦ ଜଣ ପ୍ରଧାନଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀ, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ୯୦ ଜଣ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ୧୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ସହୃଦୟତାର ସହ ଲୋକଙ୍କ ସେବା କର । ସେବାରୁ ଯେପରି କେହି ବଞ୍ଚିତ ହେବେ ନାହିଁ ସେଥିଲାଗି ଦୃଷ୍ଟି ଦେବାକୁ ହେବ । ଓଡିଶାର ବିକାଶ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ୨୦୩୬ରେ ଓଡିଶାକୁ ୧୦୦ ବର୍ଷ ପୂରୁ ଥିବାରୁ ସମସ୍ତଙ୍କୁ ଗୁରୁଦାୟିତ୍ବ ନେବାକୁ ପଡିବ । ରାଜ୍ୟରେ ଏବେ ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି । ଏଥିରେ ସମସ୍ତେ ସାମିଲ ହୁଅନ୍ତୁ ।ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁଛି ଏହି ରୂପାନ୍ତରଣ । ୫-ଟି ଜରିଆରେ ସମୟ, ସ୍ବଚ୍ଛତାର ମନ୍ତ୍ରକୁ ଗୁରୁତ୍ବ ଦିଆଯାଉଛି । ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ଗଠନ କରିବାକୁ ଲକ୍ଷ୍ୟ ରହିଛି । ରୂପାନ୍ତରଣର ଯାତ୍ରା ଜରିଆରେ ଏହି ଆଭିମୁଖ୍ୟ ସଫଳ ହେବ ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ତ୍ୟାଗ ଅପୂରଣୀୟ । ଲୋକଙ୍କ ସେବା କ୍ଷେତ୍ରରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସ୍ବତନ୍ତ୍ର ଭୂମିକା ରହିଛି । ଲୋକଙ୍କ ପାଖରେ ସଠିକ ସୂଚନା ପହଁଚାଇବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସାମାଜିକ ଗଣମାଧ୍ୟମ ଜରିଆରେ ଯୁବ ବର୍ଗଙ୍କ ପାଖରେ ପହଁଚିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ନିଜର ମନର କଥା ଉପସ୍ଥାପନ କରିଛନ୍ତି କେତେକ ଅଧିକାରୀ । 5T ରୂପାନ୍ତରଣ, ମହିଳା ସଶକ୍ତିକରଣ ଆଦି ପ୍ରକ୍ରିୟାକୁ ସେମାନେ ପ୍ରଶଂସା କରିଛନ୍ତି ।"
କାର୍ଯ୍ୟକ୍ରମରେ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଭିନ୍ନକ୍ଷମ ଏବଂ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି କାର୍ଯ୍ୟକ୍ରମରେ ସାମିଲ ହୋଇ ୫ଟି ଜରିଆରେ ଲୋକଙ୍କ ନିକଟରେ ସେବା ପହଁଚାଇବାକୁ ପରାମର୍ଶ ଦେଇଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ମଧ୍ୟ ଅଭିଭାଷଣ ରଖିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର