କେନ୍ଦୁଝର: ଜିଲ୍ଲାରେ ଆକସ୍ମିକ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । କେତେବେଳେ ଆନ୍ଥରାକ୍ସରେ ମରୁଛି ହାତୀ ତ କେତେବେଳେ ଦାନ୍ତ ପାଇଁ ହତ୍ୟା କରାଯାଉଛି । ରବିବାର ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ଚମକପୁର ଗାଁରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ହାତୀର ବୟସ ପ୍ରାୟ ୬ରୁ ୭ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ହାତୀର ଏଭଳି ଆକସ୍ମିକ ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ ।
କେନ୍ଦୁଝର ଡିଏଫ୍ଓ ସନ୍ତୋଷ ଯୋଶୀଙ୍କ ସମେତ ଚମ୍ପୁଆ ରେଞ୍ଜର ଓ ଅନ୍ୟ ବନକର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାନୁଯାୟୀ, କିଛିଦିନ ହେବ ଏକ ୧୯ ଟିକିଆ ହାତୀପଲ ବାଲିବନ୍ଧ ସେକ୍ସନର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିଲେ । ଶନିବାର ସନ୍ଧ୍ୟାରେ ଏହି ହାତୀପଲ ଚମକପୁର ଗାଁ ମୁଣ୍ଡ ଜଙ୍ଗଲ ପାଖରେ ରହିଥିଲେ । ତେବେ ରବିବାର କିଛି ଗ୍ରାମବାସୀ ବିଲ ଭିତରେ ଗୋଟିଏ ହାତୀ ମରି ପଡିଥିବାର ଦେଖି ଗାଁରେ ଥିବା ହାତୀ ସୁରକ୍ଷା ଦଳର ସଦସ୍ୟଙ୍କୁ ଜଣାଇଥିଲେ ।
ଏନେଇ ବନ ବିଭାଗକୁ ସୂଚନା ଦିଆଯିବା ପରେ ବନ କର୍ମଚାରୀ ଘଟଣାସ୍ଥଳରେ ପହଁଚିଥିଲେ । ତେବେ କେଉଁ ପରିସ୍ଥିତିରେ ହାତୀର ଏଭଳି ଆକସ୍ମିକ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ, ପ୍ରାଣୀ ଚିକିତ୍ସକ ବ୍ୟବଚ୍ଛେଦ କଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କେନ୍ଦୁଝର ଡିଏଫ୍ଓ ସନ୍ତୋଷ ଯୋଶୀ କହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ