କେନ୍ଦୁଝର: ନିର୍ମାଣକୁ ୧୦୦ ବର୍ଷ ପୂରିଥିଲେ ବି ଅକ୍ଷୂର୍ଣ୍ଣ ରହିଛି ଇଂରେଜ ଅମଳର ସେତୁ । ବର୍ତ୍ତମାନ ସମୟରେ ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଲଗାଇ ମଣିଷ ବହୁ ବଡ ବଡ ସେତୁ ନିର୍ମାଣ କରୁଛି । ସରକାର ଏହି ନିର୍ମାଣ ପାଇଁ କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଏଭଳି ସେତୁ ବହୁ ସମୟରେ ଅବଧି ସମୟ ପୂର୍ବରୁ ଭାଙ୍ଗିରୁଜି ଯାଉଛି । କିନ୍ତୁ ଇଂରେଜ ଅମଳରେ ନିର୍ମିତ ହୋଇଥିବା ସେତୁ ଆଜିବି ଅକ୍ଷୁର୍ଣ୍ଣ ରହିଛି । ଏଭଳି ଏକ ସେତୁ ହେଉଛି କେନ୍ଦୁଝର ଜିଲ୍ଲା ଝୁମ୍ପରା ବ୍ଲକ ଅନ୍ତର୍ଗତ ଅରଡେଇ ନଦୀ ଉପରେ ଥିବା ଯୋଡ଼ାଶିମିଳି ପୋଲ । ଇତିହାସ ଅନୁସାରେ, ତତ୍କାଳୀନ ରାଜା ଗୋପୀନାଥ ନାରାୟଣ ଭଞ୍ଜଙ୍କ ଅମଳରେ ଏହି ପୋଲ ନିର୍ମିତ ହୋଇଥିଲା ।
୧୯୦୬ ମସିହାରେ 'କେନ୍ଦୁଝର ଷ୍ଟେଟ କୋର୍ଟ ୱାଡସ' ଘୋଷଣା ହେବା ପରେ ସୁପରିଟେଣ୍ଡେଣ୍ଟ ଭାବେ ଜେ ଏଚ ପ୍ରାଇସ ସାହେବ ୧୯୧୯ ମସିହା ଜାନୁଆରୀ ୧୮ ତାରିଖରେ ଦାୟିତ୍ଵ ନେଇଥିଲେ । ଏହି ସମୟରେ ଚମ୍ପୁଆ ଉପଖଣ୍ଡ ସହ କେନ୍ଦୁଝର ଜିଲ୍ଲାର ସଂଯୋଗୀକରଣ ପାଇଁ ବହୁ ଅସୁବିଧା ହେଉଥିଲା । ପୂର୍ବରୁ ମାଟି ମୋରମ ରାସ୍ତା ଥିବାବେଳେ ଅରଡେଇ ନଦୀ ସହ ବହୁ ଛୋଟ ଛୋଟ ନାଳ ଗମନାଗମନ ପାଇଁ ବାଧା ସୃଷ୍ଟି କରୁଥିଲା । ଏହାକୁ ନଜରରେ ରଖି ଝୁମ୍ପରା ବ୍ଲକ ଅନ୍ତର୍ଗତ ଅରଡେଇ ନଦୀ ଉପରେ ଥିବା ଯୋଡ଼ାଶିମିଳି ପୋଲ ନିର୍ମାଣ କରାଯାଇଥିଲା। ୧୯୨୩ ମସିହାରେ ଇଂଲଣ୍ଡର 'ଡୋରମାନ ଲଙ୍ଗ ଏଣ୍ଡ କୋ ନାମକ' କମ୍ପାନୀ ଦ୍ଵାରା ଉତ୍ପାଦିତ ଲୌହ ବାଡ ଓ ଉପକରଣ ବ୍ୟବହାର କରି କଲିକତା 'ଜୋଶେଫ ଆଣ୍ଡ ସନ୍ସ' ନାମକ ଏକ ଠିକା ସଂସ୍ଥା ଦ୍ୱାରା ଏହି ପୋଲ ନିର୍ମାଣ କରାଯାଇଥିଲା ।
ବ୍ରିଟିଶ ଇଞ୍ଜିନିୟରମାନେ ପାଖାପାଖି ୩ ଲକ୍ଷ ୪ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ପୋଲକୁ ନିର୍ମାଣ କରିଥିବା କୁହାଯାଏ । ବିନା ଢଳେଇରେ କେବଳ ଇଟାରେ ୨୪ ଗୋଟି ଖମ୍ବ ନିର୍ମାଣ କରାଯାଇଥିଲା । ପୋଲର ମଧ୍ୟ ଭାଗରେ ଲୁହା ଖମ୍ବ ଓ ପ୍ଲେଟ ସାହାଯ୍ୟରେ ଯୋଡି ଲୁହା ବାଡ ଦ୍ଵାରା ସୁରକ୍ଷା ଦିଆଯାଇଥିଲା । ସେତେବେଳେ ଦୈନିକ ଦୁଇ ଅଣା ବା ୧୨ ପଇସା ମଜୁରୀ ଥିଲା । କାମ ନକଲେ ବେତ ମାଡ ଖାଇବାକୁ ପଡୁଥିଲା ବୋଲି ଶୁଣିବାକୁ ମିଳେ ।
ଏହା ବି ପଢନ୍ତୁ...ପର୍ଯ୍ୟଟକଙ୍କୁ ଟାଣୁଛି ଭୀମ ପାହାଡ଼ର କୀର୍ତ୍ତି ଓ ଐତିହ୍ୟ, ଏଠାରେ ରହିଥିଲେ ପଞ୍ଚୁ ପାଣ୍ଡବ
ଭାରତ ସ୍ୱାଧୀନ ହେବାପରେ ଏହାକୁ ୨୧୫ ନମ୍ବର ଜାତୀୟ ରାଜପଥ ମାନ୍ୟତା ମିଳିଥିଲା । ଧୀରେ ଧୀରେ ଯାନବାହାନ ଚଳାଚଳ ବୃଦ୍ଧି ପାଇବା ପରେ ଅଣଓସାରିଆ ପୋଲ ଯୋଗୁ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇଥିଲା । ଏହାକୁ ନଜରରେ ରଖି ଏହି ପୋଲ ଦୁଇ କଡ଼ରେ ଦୁଇଟି ନୂତନ ପୋଲ ନିର୍ମାଣ କରାଯାଇଛି । ଏକଦା ଯୋଡ଼ା ବଡବିଲ ଅଞ୍ଚଳରୁ ସହ ସହ ଟନ ଲୁହା ପଥର ବୋଝେଇ ଟ୍ରକ ଚଳାଚଳ ହେଉଥିଲେ ମଧ୍ୟ ଏହି ଶତାୟୁ ପୋଲର ଇଟା ଖଣ୍ଡେ ମଧ୍ୟ ଭାଙ୍ଗି ପାରିନାହାନ୍ତି । ଆଜିବି ଏହି ପୋଲର ଖମ୍ବ, କାନ୍ଥ ଅକ୍ଷୁର୍ଣ୍ଣ ରହିଥିବା ବେଳେ ଏହାର ଲୁହା ବାଡ ଗୁଡ଼ିକରେ କଳଙ୍କି ଲାଗି ନାହିଁ ।
ଇତିହାସ ଗବେଷକ କହିଛନ୍ତି, "ଚଳିତ ବର୍ଷ ଏହି ବ୍ରିଟିଶ ଅମଳର ଏହି ପୋଲ ନିର୍ମାଣକୁ ଶହେ ବର୍ଷ ପୁରିଛି । ଏହି ପୋଲ ଉପରେ ଯାତାୟତ ବର୍ତ୍ତମାନ ବନ୍ଦ ହୋଇଯାଇଥିବାବେଳେ ଆଜିବି ସେ କାଳର ନିର୍ମାଣ କୌଶଳ ଜିଲ୍ଲା ଇତିହାସର ସ୍ମୃତି ବଖାଣଛି । ଯଦି ପୋଲର ରକ୍ଷଣାବେକ୍ଷଣ କରାଯାଇପାରନ୍ତା ଏହା ଏକ ପର୍ଯ୍ୟଟନର କେନ୍ଦ୍ର ହେବା ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରନ୍ତା ।"
ଇଟିଭି ଭାରତ, କେନ୍ଦୁଝର