କେନ୍ଦ୍ରାପଡା: ଜାରି ରହିଛି ପାର୍ବଣ ଋତୁ । ଧରା ଧାମରେ ବିରାଜିତ ଧନଧାତ୍ରୀ । ଜଗତଜନନୀ ମା ଦୁର୍ଗାଙ୍କ ମେଲାଣୀ ପରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ଧନଦାତ୍ରୀ ମା' ଲକ୍ଷ୍ମୀ । ରୋଗ ଭୋଗ ଦୂର କରିବା ପାଇଁ ଧରାଧାମକୁ ଅବତରଣ କରିଥାନ୍ତି ମା' ଲକ୍ଷ୍ମୀ । କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ ଧୁମଧାମରେ ପାଳିଛନ୍ତି ରାଜ୍ୟବାସୀ । ଏଥିପାଇଁ ଚଳଚଞ୍ଚଳ କେନ୍ଦ୍ରାପଡା ଜିଲ୍ଲାର ଗାଁରୁ ସହର(Gajalaxmi Puja Celebrated in Kendrapara) । କୋରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ହାତବାନ୍ଧି ବସିଥିବା ବ୍ୟବସାୟୀଙ୍କ ମୁହଁରେ ପୁଣିଥରେ ହସ ଆଣିଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ।
ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ପୂଜା । ଦୁଇବର୍ଷ ହେଲା କୋରୋନା ମହାମାରୀ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଚଳିତ ବର୍ଷ ଅଣ୍ଟା ସଳଖି ଛିଡା ହୋଇଛନ୍ତି ବ୍ୟବସାୟୀ । ଗଣପର୍ବରେ ସାମିଲ ହେଉଛନ୍ତି ହଜାର ହଜାର ଭକ୍ତ । ଦୁଇବର୍ଷ କୋଭିଡ ମହାମାରୀ ଜନିତ କଟକଣା ଯୋଗୁଁ ମା'ଲକ୍ଷ୍ମୀ ପୂଜା ପାଉଥିଲେ ହେଁ ଦର୍ଶନ ବାରଣ ଓ କୌଣସି ମେଳା ମହୋତ୍ସବ ବନ୍ଦ ଥିବା କାରଣରୁ ନିରାଶ ହୋଇଥିଲେ ଶ୍ରଦ୍ଧାଳୁ । ତେବେ ଚଳିତବର୍ଷ ଶରତ ଅର୍ଥାତ ଶାରଦୀୟ ଋତୁ ଏହି ବ୍ୟବସାୟୀଙ୍କ ପାଇଁ ଖୁସି ଆଣି ଦେଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ସାମଗ୍ରୀ ବିକ୍ରି କରି କିଛି ଅର୍ଥ କମାଇବା ଆଶାରେ ଅଛନ୍ତି ବ୍ୟବସାୟୀ ।
ଏହା ମଧ୍ୟ ପଢନ୍ତୁ: ଆଗାମୀ ୭ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟାର ସମ୍ଭାବନା
ଏନେଇ ଜନୈକ ବ୍ୟବସାୟୀ କହିଛନ୍ତି ଯେ," ଏବେ ଲୋକଙ୍କ ଭିଡ ଜମୁଥିବା ବେଳେ ଆଗକୁ ଆହୁରି ଭିଡ ହେବା ନେଇ ଆମେ ଆଶା କରିଛୁ । ଦୀର୍ଘ ୨ ବର୍ଷ ହେଲା ଆମେ ବ୍ୟବସାୟ କରିନପାରି ହାତବାନ୍ଧି ବସି ରହିଥିଲୁ । ଚଳିତ ବର୍ଷ ବିନା କଟକଣାରେ ପୂଜା ହେଉଥିବାରୁ ଆମେ ବହୁତ ଖୁସି । ଆଶାକରିଛୁ ଆଗାମୀ ୩ ଦିନରେ ଆହୁରି ଜମସମାଗମ ହେବ । ଏବର୍ଷ ଭଲ ଦିପଇସା ରୋଜଗାର କରିପାରିବୁ ।"
ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡାରେ ଜନସମାଗମ ହୋଇଥିବା ବେଳେ ବ୍ୟବସାୟ ମଧ୍ୟ ଭଲ ହେଉଥିବା ଦେଖିବାକୁ ମିଳୁଛି । ପ୍ରସାଧାନ ସାମଗ୍ରୀ ଠାରୁ ଆରମ୍ଭ କରି ଖେଳନା ସାଙ୍ଗକୁ ଘରକରଣା ସାମଗ୍ରୀ କ୍ରୟ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉଛି । ଏହି ସାମଗ୍ରୀ ଗୁଡିକ ବଡ଼ ବଡ଼ ସପିଂ ମଲରେ ବିକ୍ରି ହେଉଥିଲେ ସୁଦ୍ଧା ସେଠାରେ ଏଗୁଡିକର ଅଧିକ ମୂଲ୍ୟ ରହିଥିବା ବେଳେ ଏହି ଅତିକ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ସ୍ୱଳ୍ପ ମୂଲ୍ୟରେ ସାମଗ୍ରୀ ମିଳୁଥିବା କହିଛନ୍ତି ଗ୍ରାହକ ।
ସେହିପରି ପୂଜା ବୁଲିବା ସାଙ୍ଗକୁ ସୁଦୂର ବିହାର ରାଜ୍ୟରୁ ଆସିଥିବା ବ୍ୟବସାୟୀଙ୍କ ଠାରୁ ଗୁପଚୁପ ଓ ରାଜସ୍ଥାନୀ ପକୁଡି ଖାଇବା ପାଇଁ ମଧ୍ୟ ଷ୍ଟଲ ମାନଙ୍କରେ ଭିଡ଼ ଲାଗୁଥିବା ଦେଖାଯାଇଛି । ଗତ ଦୁଇବର୍ଷ ନିରାଡ଼ମ୍ବର ପୂଜା ପରେ ଚଳିତବର୍ଷ ଆଡମ୍ବରରେ ପୂଜା ହେଉଥିବା ଓ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଥିବାରୁ ଉଠା ଦୋକାନୀ ବା ଅତିକ୍ଷୁଦ୍ର ବ୍ୟବସାୟୀ ବେଶ ଭଲ ପଇସା ରୋଜଗାର କରିପାରିବା ଆଶା ରଖିଛନ୍ତି ସଂଘର ସଭାପତି ।
ସହରର ଐତିହ୍ୟ ସହ ଜଡିତ ଲକ୍ଷ୍ମୀପୂଜାକୁ କେନ୍ଦ୍ରାପଡାବାସୀ ବର୍ଷ ତମାମ ଅପେକ୍ଷା କରିରହିଥାନ୍ତି । ମା'ଙ୍କ କୃପାରୁ ଚଳିତ ବର୍ଷ ବିନା କଟକଣାରେ ପୂଜ ସହ ବ୍ୟବସାୟ ହେଉଥିବା ବେଳେ ଗ୍ରାହକ ଓ ବ୍ୟବସାୟୀ ସମସ୍ତେ ଖୁସ । ଆଗାମୀ ଦିନରେ ପାଣିପାଗ ଅନୁକୂଳ ରହିଲେ ଭଲ ଦିପଇସା ରୋଜଗାର କରିପାରିବେ ବ୍ୟବସାୟୀ ।
ଇଟିଭି ଭାରତ, କେନ୍ଦ୍ରାପଡା