କେନ୍ଦ୍ରାପଡା: ପାର୍ବଣ ଋତୁରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ଧନଦାତ୍ରୀ ମା' ଗଜଲକ୍ଷ୍ମୀ । ମା'ଙ୍କ ଆଗମନରେ ଉତ୍ସବ ମୁଖର ହୋଇପଡିଛନ୍ତି କେନ୍ଦ୍ରାପଡାବାସୀ । ଦେବୀ ଗଜଲକ୍ଷ୍ମୀଙ୍କ ପୂଜାର ଦ୍ବିତୀୟ ଦିନରେ କୋରୋନା କଟକଣା ସହିତ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା କରାଯାଉଥିବା ସୂଚନା ମିଳିଛି ।
ତେବେ ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି ଜିଲ୍ଲା । ଚଳିତବର୍ଷ କୋରୋନା ଜନିତ କଟକଣା ଏହି ପୂଜାକୁ ପ୍ରଭାବିତ କରିଛି। ସହରର ସର୍ଵପ୍ରଥମ ଚାନ୍ଦିମେଢ଼ ଭାବେ ପରିଚିତ ଖଡ଼ିଅଙ୍ଗ ପୂଜା କମିଟିର ଦ୍ଵିତୀୟ ଦିନ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପରେ ପୂଜକଙ୍କୁ ମିଶାଇ ମାତ୍ର ଚାରିଜଣ ବ୍ୟକ୍ତି ଉପସ୍ଥିତ ଅଛନ୍ତି ।
କିନ୍ତୁ ପୂର୍ବବର୍ଷମାନଙ୍କରେ ମା'ଙ୍କ ପୂଜା ସମୟରେ ଶହଶହ ଆବାଳ ବୃଦ୍ଧବନିତା ପୂଜାସ୍ଥଳରେ ଉପସ୍ଥିତ ରହିଥାନ୍ତି । ଶୃତି ଅନୁଯାୟୀ ପୂଜା ଆରମ୍ଭରେ ଏକ ଧଳା ପେଚା ମା'ଙ୍କ ପୂଜା ଦିନ କେଉଁଆଡ଼ୁ ଉଡ଼ିଆସି ବସିଥାଏ। ତେବେ ଚଳିତବର୍ଷ ତିଥି ବଦଳିଥିବାରୁ ଚତୁର୍ଦ୍ଦଶୀ ତିଥିରେ ମା'ଙ୍କ ପୂଜା ଆରମ୍ଭ ହୋଇଛି।
କୋରୋନା କଟକଣାକୁ ପାଳନ କରି ମା' ଗଜଲକ୍ଷ୍ମୀଙ୍କ ପୂଜାକୁ ଧୁମଧାମରେ ପାଳନ କରାଯାଉନାହିଁ । ବିନା ରଙ୍ଗବେରଙ୍ଗର ଆଲୋକମାଳା, ସାଜସଜ୍ଜା, ବାଦ୍ୟଯନ୍ତ୍ରରେ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ହେଉଛି । ଶ୍ରଦ୍ଧାଳୁମାନଙ୍କ ବିନା ପୂଜା ମଣ୍ଡପ ଖାଁ ଖାଁ ଲାଗୁଛି । ବିନା ଦର୍ଶକରେ ପୂଜାର୍ଚ୍ଚନା କରାଯାଉଥିବାରୁ ପୂଜା କମିଟିର ସଦସ୍ୟମାନେ ଦୁଃଖ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି । ତେବେ ଜିଲ୍ଲାରେ ଦଶହରା ପୂଜା ଭଳି ମା' ଗଜଲକ୍ଷ୍ମୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ