କେନ୍ଦ୍ରାପଡା: ସାକାର ହେବ ଦୀର୍ଘ ୫୦ ବର୍ଷର ସ୍ୱପ୍ନ । ନିତିଦିନିଆ ରାସ୍ତା ଦେଖିବେ ଗ୍ରାମବାସୀ । ୧୯୭୪ ମସିହାରେ ତତ୍କାଳୀନ ରାଜା ସାହେବ ତଥା ଆଳି ବିଧାୟକ ଶରତ କୁମାର ଦେବ ବଳିତଳ ଲୋକଙ୍କ ଅସୁବିଧା ଦୂର କରିବାକୁ ଦେଇଥିବା ପ୍ରତିଶୃତିକୁ ଆଜି ପୂରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି ଖରସ୍ରୋତା ନଦୀ ବଳିତଳ ସେତୁର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜକନିକା ବ୍ଲକର ନୂଆପଡାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
କେନ୍ଦ୍ରାପଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଆଳି ଓ ରାଜକନିକାବାସୀଙ୍କ ଯାତାୟତ ସୁବିଧା ହେବା ସହିତ ବ୍ୟବସାୟିକ କ୍ଷେତ୍ରରେ ଏହି ସେତୁ ତିନୋଟି ଜିଲ୍ଲା ସହିତ ସମ୍ପର୍କ ସ୍ଥାପନରେ ସହାୟକ ହେବ । ସେହିପରି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଆରଡ଼ିକୁ ଯାତାୟତ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ସୁବିଧା ହେବ । ରାଜକନିକା ବ୍ଲକର ୨୯ ଗୋଟି ପଞ୍ଚାୟତର ଜନସାଧାରଣଙ୍କର ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଥିବା ଦାବିକୁ ଜୀବନ୍ତ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ଏହି ସେତୁ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯାଇ ୩୫ ମାସ ଭିତରେ ଶେଷ କରାଯିବ । ୧୧୪ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ହେଉଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ରାଜପଥ ପ୍ରକଳ୍ପରେ ଏହା ସହାୟକ ହେବ । ଅନ୍ୟପଟେ ଏହି ସେତୁରେ ୩୮୦ ମିଟର ସ୍ପାନ ସାଙ୍ଗକୁ ୧୨୬୦ ମିଟର ଆପ୍ରୋଚ ରୋଡ଼ ତିଆରି ହେବ । ଫଳରେ ଭବିଷ୍ୟତରେ ରାଜକନିକା ବ୍ଲକ ଗମନାଗମନ କ୍ଷେତ୍ରରେ ଜନସାଧାରଣଙ୍କୁ ସହାୟକ ହେବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।
ସେହିପରି ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି, "୧୯୭୨ ମସିହାରୁ ଏହି ଦାବି ରହିଥିଲା । ଆଜି ୫୦ ବର୍ଷ ପରେ ୧୧୪ କୋଟି ଟଙ୍କା ବ୍ୟୟର ଖରସ୍ରୋତା ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛୁ । ଏହା ଲୋକଙ୍କର ଆଶା ପୂରଣ କରିବ । ଏହା ୨ ବର୍ଷ ଭିତରେ ନିର୍ମିତ ହେବାକୁ ଥିବାବେଳେ ଏଥିରେ ଲକ୍ଷାଧିକ ଲୋକ ଉପକୃତ ହେବେ ।"
ଇଟିଭି ଭାରତ, କେନ୍ଦ୍ରାପଡା