କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ସମ୍ପର୍କରେ ଏକ ୱେବସାଇଟରେ ଭୁଲ ତଥ୍ୟ ଦିଆଯାଇଛି । ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖୁବ ଶିଘ୍ର ଏହାକୁ ହଟାଯିବା ପାଇଁ ଦାବି ହୋଇଛି ।
ସୂଚନାନୁଯାୟୀ, www.templepurohit.com ନାମକ ଏକ ଓ୍ବେବସାଇଟରେ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପଶ୍ଚିମବଙ୍ଗ ରାଜ୍ୟରେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ବୋଲି ଏଠାରେ ଲେଖାଯାଇଛି । କେବଳ ସେତିକି ନୁହେଁ, ଏଠାକାର ଭାଷା ବଙ୍ଗାଳୀ ଓ ଇଂରାଜୀ ବୋଲି ତଥ୍ୟ ଏହି ସାଇଟରେ ଉଲ୍ଲେଖ ରହିଛି । ତେବେ ଏଭଳି ଘଟଣା ନଜରକୁ ଆସିବା ପରେ ମହାପ୍ରଭୁ "ବଳଦେବଜୀଉ ପେଜ" ସାମାଜିକ ଗଣମାଧ୍ୟମରେ ଏହାକୁ ବିରୋଧ କରିବା ସହ ଯଥାଶୀଘ୍ର ଏହି ଭୁଲକୁ ସୁଧାରିବାକୁ ଦାବି କରିଛି । ଏହି ଓ୍ବେବ ସାଇଟରେ ଅନେକ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ଓ ଏହାର ଅବସ୍ଥିତି ସମ୍ପର୍କରେ ସୂଚନା ମଧ୍ୟ ରହିଛି । ବଳଦେବଜୀଉଙ୍କ ମନ୍ଦିର ସମ୍ପର୍କିତ ଏଭଳି ତଥ୍ୟକୁ ନାପସନ୍ଦ କରିଛନ୍ତି ଶ୍ରଦ୍ଧାଳୁ ଓ ଜିଲ୍ଲାବାସୀ ।
ଇଟିଭି ଭାରତ,କେନ୍ଦ୍ରାପଡ଼ା