ଯାଜପୁର: ଯାଜପୁର ରୋଡରୁ ଭାୟା ବିରଜା କ୍ଷେତ୍ର ଧାମରାକୁ ରେଳପଥ ସଂଯୋଗୀକରଣ ପାଇଁ ଦାବି ଜୋର ଧରିଛି । ଏହି ଉଦ୍ଦେଶ୍ୟରେ ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର ବ୍ୟାସନଗର ଠାରେ ଏକ ଗଣ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧି, ଶ୍ରମିକ ନେତା ଓ ଗଣ ସଂଗଠକ ମାନେ ସାମିଲ ହୋଇଥିଲେ ।
ଗୋଟିଏ ପଟେ ଏସିଆ ମହାଦେଶର ଶିଳ୍ପ ରାଜଧାନୀ କଳିଙ୍ଗନଗର ଓ ଅନ୍ୟପଟେ ଭାରତର ଏକ ଗଭୀରତମ ବନ୍ଦର ଭାବେ ପରିଗଣିତ ଧାମରା ବନ୍ଦର । ତା ଛଡା ଯାଜପୁର ସଦର ମହକୁମାରେ ଅବସ୍ଥିତ ଭାରତର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ତଥା ପୌରାଣିକ ପୀଠ ମା' ବିରଜାଙ୍କ ମନ୍ଦିର । ଭୌଗୋଳିକ ଅବସ୍ଥିତି ଦ୍ରୁଷ୍ଟିକୋଣରୁ ଏହି ପ୍ରମୁଖ ଅଞ୍ଚଳକୁ ଗମନାଗମନ ଓ ପରିବହନର ସୁବିଧା ପାଇଁ ରେଳପଥ ସଂଯୋଗୀକରଣ କରିବାକୁ ଦୀର୍ଘ ଦିନରୁ ଦାବି ହୋଇଆସୁଛି ।
ତେବେ ବିଭିନ୍ନ ଆଳ ଦେଖାଇ ରେଳମନ୍ତ୍ରଣାଳୟ ଦ୍ବାରା ଏହାକୁ ସ୍ବୀକୃତି ଦିଆଯାଉନଥିବା ଗଣ ସମ୍ମିଳନୀରେ ଦର୍ଶାଯାଇଛି । ଯାଜପୁର କେଉଁଝର ରୋଡ-ଧାମରା ନୂତନ ରେଳପଥ ସଂଯୋଗୀକରଣ ଦ୍ବାରା କେନ୍ଦ୍ର ସରକାର ତଥା ରେଳ ମନ୍ତ୍ରଣାଳୟ ଅଧିକ ରାଜସ୍ବ ପାଇବା ସହିତ ଲାଭବାନ ହୋଇପାରିବେ ବୋଲି ବରିଷ୍ଠ ରାଜନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମତଦେଇଛନ୍ତି । ଏହି ରେଳପଥ ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ଏକ ଲାଇଫ୍ ଲାଇନ୍ ରେଲୱେ ପ୍ରକଳ୍ପ ଭାବେ ପରିଗଣିତ ହେବ ବୋଲି କୁହାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଗଢିତୋଳିବ ବୋଲି ଗଣ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ