ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଛି 14 ବର୍ଷ । ବିସ୍ଥାପନ ବିରୋଧି ଜନମଞ୍ଚ ପକ୍ଷରୁ ପାଳିତ ହୋଇଛି ଶହୀଦ୍ ସ୍ମୃତି ସମାବେଶ । ଯେଉଁଥିରେ ସାମିଲ ହୋଇଛନ୍ତି ବିସ୍ଥାପିତ ଉନ୍ନୟନ ପରିଷଦର ବିସ୍ଥାପିତ ଆଦିବାସୀ । 2006 ଜାନୁଆରୀ 2 ତରିଖ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରି ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ 14 ଆଦିବାସୀ । ଆଜି (ଗୁରୁବାର) ସେହି ଆଦିବାସୀମାନଙ୍କୁ ମନେପକାଇ ବିସ୍ଥାପନ ବିରୋଧି ଜନମଞ୍ଚ ପାଳିଛି ଚତୁର୍ଦ୍ଦଶ ତମ ଶହୀଦ ସ୍ମୃତି ଦିବସ ।
ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଗୁଳିକାଣ୍ଡ ସ୍ଥଳୀ ଚମ୍ପାକୋଇଲରୁ ବାହାରି ଆମ୍ବଗାଡିଆର ବୀରଭୂମି ପଡିଆରେ ପହଞ୍ଚିଥିଲା । ସେଠାରେ ନିହତ ଆଦିବାସୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ସମବେତ ଜନତା । ଏହାସହ କମ୍ପାନୀ ଏବଂ ସରକାର ବିରୋଧି ନାରାରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ଲୋକଙ୍କୁ ବଳପୂର୍ବକ ବିସ୍ଥାପିତ କରି ସରକାର ଓ କମ୍ପାନୀ ଦେଇଥିବା ପ୍ରତିଶୃତି ଆଜି ଠିକଣା ଭାବେ ପାଳନ କରୁନଥିବାରୁ ଆଗାମୀ ଦିନରେ ଲଢେଇ ଜାରି ରହିବ ବୋଲି ଏହି ଅବସରରେ ଚେତାବନୀ ଦେଇଥିଲେ ଆଦିବାସୀମାନେ ।
ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । କଳିଙ୍ଗନଗରରେ ଏଥିପାଇଁ ଯାଜପୁର ଏସପି ଓ କଳିଙ୍ଗନଗର ଅତିରିକ୍ତ ଏସପିଙ୍କ ସମେତ 7 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ