ପାରାଦ୍ବୀପ: ଜଗତସିଂହପୁର ପାରାଦ୍ବୀପ ଅଞ୍ଚଳର ଉଦୟବଟ ଭିତରଗଡ କଲୋନୀରୁ ଜବରଦଖଲ ଉଚ୍ଛେଦ କରିଛି ପାରାଦ୍ଵୀପ ବନ୍ଦର ଇଷ୍ଟେଟ ବିଭାଗ । ଏହି କଲୋନୀ ନିକଟରେ ବିଭିନ୍ନ ବ୍ୟକ୍ତି ଜବରଦଖଲ କରି ବାସଗୃହ ନିର୍ମାଣ ସହ ବିଭିନ୍ନ ଦୋକାନ କରିଥିଲେ । ତେବେ ପୋଲିସ ସହାୟତାରେ ଜବରଦଖଲକାରୀଙ୍କ ଘରକୁ ଭଙ୍ଗାଯାଇଛି ।
ଏହି କଲୋନୀରେ ବିଭିନ୍ନ ବ୍ୟକ୍ତି ଜବରଦଖଲ କରି ବାସଗୃହ ନିର୍ମାଣ ସହ ବିଭିନ୍ନ ଦୋକାନ କରିଥିଲେ। ଯାହାକୁ ଭାଙ୍ଗିବା ପାଇଁ ବନ୍ଦର ପକ୍ଷରୁ ବିଭିନ୍ନ ସମୟରେ ନୋଟିସ ଜାରି କରାଯାଇଥିଲା । ମାତ୍ର ସ୍ଥାନୀୟ ବ୍ୟକ୍ତି ଓ ଜବରଦଖଲକାରୀମାନେ ବିରୋଧ କରିବା ସହ ଇଷ୍ଟେଟ ବିଭାଗ ଅଫିସରଙ୍କୁ ପନିକି ଧରି ଗୋଡ଼ାଇଥିଲେ। ଫଳରେ ଆଜି(ଶନିବାର) ପୋଲିସ ସହାୟତାରେ ଉକ୍ତ ଘରକୁ ଭାଙ୍ଗି ଦିଆଯାଇଛି । ଏହା ନିକଟରେ ଥିବା ଅନ୍ୟ ଦୋକାନକୁ ୭ ଦିନ ମଧ୍ୟରେ ଭାଙ୍ଗିବା ପାଇଁ ନୋଟିସ ମଧ୍ୟ ଦିଆଯାଇଛି ।
ତେବେ ଏହି ଉଦୟବଟ ଭିତରଗଡ କଲୋନୀର ଲୋକେ ପୂର୍ବରୁ ଘନଘଳିଆ ନିକଟରେ ରହୁଥିଲେ। ବନ୍ଦର ସମ୍ପ୍ରସାରଣ ପାଇଁ ସେମାନଙ୍କୁ ସେଠାରୁ ଉଠାଇ ଏହି କଲୋନୀରେ ଥଇଥାନ କରାଯାଇଥିଲା । ମାତ୍ର ଏହି କଲୋନୀରେ ମାର୍କେଟ କମ୍ପ୍ଲେକ୍ସର ବ୍ୟବସ୍ଥା ନଥିବାରୁ ଦୋକାନ ବଜାର ହୋଇପାରୁ ନାହିଁ । ତଥାପି କିଛି ଲୋକ ଖାଲି ଯାଗାରେ ଦୋକାନ କରି ନିଜ ପରିବାର ଚଳାଇବାରେ ସମର୍ଥ ହେଉଥିଲେ । କିନ୍ତୁ ବନ୍ଦର ପକ୍ଷରୁ ଏହାକୁ ବିରୋଧ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ