ବ୍ରହ୍ମପୁର: ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ ସଫଳତା । ଜବତ ହୋଇଛି ୪୦୦ କିଲୋଗ୍ରାମ ଗଞ୍ଜେଇ । 2 ଜଣ ଗଞ୍ଜେଇ ମାଫିଆ ଗିରଫ ହେବା ସହିତ ମ୍ୟାକ୍ସ ପିକଅପ ଭ୍ୟାନ ଜବତ । ଗିରଫ 2 ଯୁବକ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଞ୍ଚଳର ରାଧାକାନ୍ତ ସାହୁ ଓ ସନ୍ତୋଷ କୁମାର ସାହୁ ବୋଲି ଜଣାପଡିଛି । ତେବେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଥିବା ବେଳେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଗଞ୍ଜେଇ ଚାଲାଣ ବେଳେ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ଗୁଇନ୍ଦା ବିଭାଗ ।
ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାର ମହୁରୀକାଳୁଆ ଛକ ନିକଟରେ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଇନସପେକ୍ଟର ଗୀତାଞ୍ଜଳୀ ସାହୁଙ୍କ ନେତୃତ୍ୱରେ ରହିଥିବା ଟିମ୍ ଏଭଳି ୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି । ମୁଖ୍ୟତଃ ଗଜପତି ଏବଂ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଗଞ୍ଜେଇକୁ ବିଭିନ୍ନ ଉପାୟରେ ପ୍ୟାକିଙ୍ଗ୍ କରାଯାଇ ଗଞ୍ଜାମ ଓ ବ୍ରହ୍ମପୁର ଦେଇ ଦେଶର ବିଭିନ୍ନ ରାଜ୍ୟ ସମେତ ଆମ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ ହୋଇଥାଏ । ତେବେ ଏହାକୁ ଦୃଷ୍ଟିରେ ରଖି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କ୍ରମାଗତ ଭାବରେ ଏହି କାରବାର ଉପରେ ନଜର ରଖାଯାଉଥିଲା । ଏହି ଚଢାଉ ସମୟରେ ପିକଅପ ଭ୍ୟାନରେ ରାସନ୍ ସାମଗ୍ରୀ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ପେଟିରେ ଏହିଭଳି ଗଞ୍ଜେଇ ପ୍ୟାକିଙ୍ଗ୍ କରାଯାଇ ନିଆଯାଉଥିଲା ।
ତେବେ ସବୁଠାରୁ କୌତୁହଳର ବିଷୟ ପ୍ରତ୍ୟେକ ଗଞ୍ଜେଇ ପେଟି ମଧ୍ୟରେ ଗଞ୍ଜେଇର ଗନ୍ଧ ନଆସିବା ପାଇଁ ରସୁଣ ଛେଚି ପକାଯାଇଥିଲା। ଏନେଇ ତାହାକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡିରେ ବସିଥିବା ଗାଡି ଚାଳକ ଏବଂ ତାର ସହଯୋଗୀ ଘଟଣାସ୍ଥଳରୁ ଦୌଡି ଫେରାର ହେବାକୁ ଉଦ୍ୟମ କରିଥିଲେ । ଏନେଇ ଅବକାରୀ ବିଭାଗ କର୍ମଚାରୀ ମାନେ କାବୁ କରିବା ସହିତ ରାସନ୍ ସାମଗ୍ରୀ ପ୍ୟାକିଙ୍କ୍ ଖୋଲି ଦେଖିବା ବେଳେ ସେଥିରୁ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ଅବକାରୀ ଇନସିପେକ୍ଟର ଗୀତାଞ୍ଜଳି ସାହୁ ।
ସେପଟେ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶକ୍ରମେ ଦକ୍ଷିଣାଞ୍ଚଳରେ ଚୋରା ମାଦକ ଦ୍ରବ୍ୟ ଠାରୁ ଆରମ୍ଭ କରି ଗଞ୍ଜେଇ ଚୋରା କାରବାର ଉପରେ ତୀକ୍ଷଣ ନଜର ରଖାଯାଇଥିବା କହିଛନ୍ତି ଅବକାରୀ ଗୁଇନ୍ଦା ବିଭାଗର ବ୍ରହ୍ମପୁରର ଡେପୁଟି କମିଶନର ଡମ୍ବୁରୁଧର ଖଣ୍ଡା । ସେହିପରି କ୍ରମାଗତ ଭାବରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି ଚଢାଉ ଜାରି ରହିଥିବା ବେଳେ ଗତ ଏକ ମାସ ମଧ୍ୟରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ସୂଚନା ଦେଇଛନ୍ତି ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି ସୁପରିଟେଣ୍ଟେଣ୍ଡ ।
ଇଟିଭି ଭାରତ, ବ୍ରହ୍ମପୁର