ଢେଙ୍କାନାଳ: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଭାବନୀୟ ଘଟଣା । ଅଭିଯୋଗ ନଶୁଣିବାରୁ ବାରମ୍ବାର ଅସଦାଚରଣର ଶିକାର ହେଉଥିବା ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ମହିଳା ଜଣକ ଡ୍ରେସ ଚିରି ଛୁରୀ ଓ କାଚ ବୋତଲରେ ବେକ କାଟିବାକୁ ଉଦ୍ୟମ କରୁଥିଲେ । ଏଥିସହ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ ବେଳେ ଟାଉନ ଥାନା ପୋଲିସ କାବୁ କରିଛି ।
ଜଣେ ସ୍ବାମୀ ପରିତ୍ୟକ୍ତ ମହିଳାଙ୍କୁ ବାରମ୍ବାର ଅସଦାଚରଣ ହେଉଥିବା ଅଭିଯୋଗ ରହିଛି। ପୀଡ଼ିତା ମହିଳା ଜଣଙ୍କ ଅଭିଯୋଗ ନେଇ ଥାନା ଫାଣ୍ଡି ଓ ଶେଷରେ ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିଥିଲେ । ମାତ୍ର ତାଙ୍କ ଗୁହାରି କେହି ଶୁଣିନଥିଲେ। ଶେଷରେ ମହିଳା ଜଣଙ୍କ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହାତରେ ଭଙ୍ଗା କାଚ ବୋତଲ ଓ ଛୁରୀ ସାହାଯ୍ୟରେ ନିଜର ବେକ କାଟିବାକୁ ଉଦ୍ୟମ କରିବା ସହ କିରାସିନି ଢାଳି ନିଆଁ ଲଗାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ମହିଳା ଜଣଙ୍କୁ କାବୁ କରିଥିଲେ।
ଉକ୍ତ ମହିଳା ଜଣକ ସଦର ଥାନା ଅନ୍ତର୍ଗତ କୋଇଲିପଙ୍ଗି ଗ୍ରାମର ସସ୍ମିତା ରାଉତ ହୋଇଥିବା ଜଣାପଡ଼ିଛି । ସୂଚନା ମୂତାବକ, ସେ ଉତ୍ତର ପ୍ରଦେଶର ଝାନ୍ସିରେ ବିବାହ କରିଥିବାବେଳେ ସ୍ବାମୀଙ୍କ ନିର୍ଯାତନା ସହି ନପାରି ସେଠାରୁ ପଳାଇ ଆସିଥିଲେ । ନିଜର ଦୁଇ ପୁଅଝିଅଙ୍କୁ ନେଇ କୋଇଲି ପଙ୍ଗିରେ ରାହୁଛନ୍ତି। ସେଠାରେ ତାଙ୍କ ପଡ଼ୋଶୀମାନେ ହଇରାଣ କରୁଥିବା ଏବଂ କେତକ ଯୁବକ ତାଙ୍କୁ ବାରମ୍ବାର ଅଶ୍ଳୀଳ ଇଙ୍ଗିତ ଓ ଅସଦାଚରଣ କରୁଛନ୍ତି । ତେବେ ଏହି ଅଭିଯୋଗ ନେଇ ମହିଳା ଜଣକ ଭାପୁର ଫାଣ୍ଡି ଓ ସଦର ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରି ଆସୁଛନ୍ତି । ମାତ୍ର ତାଙ୍କ ଗୁହାରି କେହି ଶୁଣୁ ନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ମହିଳାଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୁଲିସ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ