ଢେଙ୍କାନାଳ: ଢେଙ୍କାନାଳରେ ସାମ୍ବାଦିକଙ୍କ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଘୋଷଣା ସାଙ୍ଗକୁ ଟିକା ଦେବାରେ ପ୍ରାଥମିକତା ଦେଇଛନ୍ତି । ଫଳରେ ସୋମବାର ଢେଙ୍କାନାଳରେ କାର୍ଯ୍ୟରତ ସମ୍ବାଦିକ ମାନଙ୍କୁ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଏଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସଦର ମହକୁମା ସାଙ୍ଗକୁ ଜିଲ୍ଲାର ଉପଖଣ୍ଡ ଓ ବ୍ଲକ ସ୍ତରର ସାମ୍ବାଦିକଙ୍କୁ ଏହି ଟୀକାକରଣର ସୁଯୋଗ ଦେଇଛନ୍ତି । ଏହି ପ୍ରରିପେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାମ୍ବାଦିକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଟୀକାକରଣ ସେଣ୍ଟର କରାଯାଇଛି ।
ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ସାମ୍ବାଦିକମାନେ ସେମାନଙ୍କୁ ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ବୀମା କାର୍ଡ ଦେଖାଇ ଏହି ଟୀକା ନେଇ ପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଫଳରେ ଏହି ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ରରେ ସୋମବାର ସାମ୍ବାଦିକ ମାନେ ଟିକା ନେଇଥିବା ଦେଖିବାକୁ ମିଳିଥିଲା । ସୋମବାର ପ୍ରଥମ ଦିନରେ ଜିଲ୍ଲା ସଦର ମହକୁମାରେ ୨୪ଜଣ ସାମ୍ବାଦିକ ଏହି ଟିକା ନେଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ