କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ବଢୁଛି କ୍ରେଜ(Baliyatra 2022) । ବୁଲା ସାଙ୍ଗକୁ ଖାଇବାର ମଜା ଉଠାଇବା ଲାଗି ଯାତ୍ରାରେ ଜମୁଛି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ । ହେଲେ ପିଇବା ପାଣିକୁ ନେଇ ଉପୁଜିଛି ସମସ୍ୟା । ପିଇବା ପାଣି ଷ୍ଟଲ ଆଗରେ ଲହଡ଼ି ମାରୁଛି ଦୂଷିତ ପାଣି । ସରକାରଙ୍କ ପକ୍ଷରୁ ପାଣି ଯୋଗାଇ ଦିଆଯାଉଥିବା ଷ୍ଟଲ ଆଗରେ ଦୂଷିତ ପାଣି ଜମି ରହୁଥିବାରୁ ଏଠାରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଖାଦ୍ୟ ଖାଇବା ସାରିବା ପରେ ଲୋକେ ହାତ ଧୋଇବା ସହ ପାଣି ପିଇବା ଲାଗି ସମସ୍ୟା ଭୋଗୁଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଲୋକଙ୍କୁ ପାଣି ପିଇବା ଲାଗି ହଟହଟା ହେବାକୁ ପଡୁଛି । ପିଇବା ପାଣି ଯୋଗାଉଥିବା ଷ୍ଟଲ ସମ୍ମୁଖରେ ଦୂଷିତ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ଲୋକେ ସେଠାକୁ ଯାଉନାହାନ୍ତି । ଫଳରେ ପିଇବା ପାଣି ପାଇଁ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡ଼ୁଛି । ଏ ନେଇ ଜଣେ ଦର୍ଶକ କହିଛନ୍ତି, "ଲୋକେ ମୂଖ୍ୟତଃ ବାଲିଯାତ୍ରାକୁ ବୁଲିବା ସହ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଆସନ୍ତି । ପାଣି ଯୋଗାଇ ଦିଆଯାଉଥିବା ଷ୍ଟଲ ଆଗରେ ପାଣି ଜମୁଛି । ମାତ୍ର ଏହା ଆଗରେ ଜମୁଛି ଦୂଷିତ ଜଳ । ଯାହାକି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଫଳରେ ଲୋକେ ସେଠାକୁ ଯାଉନଥିବା ଦେଖିବାକୁ ମିଳିଛି । ପାଣି ଦୋକାନରେ ଏତେ ଭିଡ଼ ଲାଗୁଛି ଯେ ପାଣି ମିଳିବା ମଧ୍ୟ କଷ୍ଟକର । "
ଅନ୍ୟପଟେ ଏହି ଦିଗରେ ସ୍ପଷ୍ଟିକରଣ ରଖିଛି କଟକ ମହାନଗର ନିଗମ । ଏ ନେଇ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି, "ପାଣି ଜମାଟ ବାନ୍ଧିବା ଦିଗରେ ୱାଟକୋ ବିଭାଗକୁ ଜଣାଯାଇଛି । ଏହାତଳେ ଯେଉଁ ଡ୍ରେନେଜ ବ୍ୟବସ୍ଥା କରାଯାଇଛି ତାହା ହୁଏତ ଭର୍ତ୍ତି ହୋଇଯାଇଥିବ । ସେଥିଲାଗି ଓରମାସ ଷ୍ଟଲ ଆଗରେ ପାଣି ଜମୁଛି । ଅଧିକାରୀଙ୍କୁ ଜଣାଇ ଦିଆଯାଇଛି, ସଙ୍ଗେସଙ୍ଗେ ଏହାର ସମାଧାନ କରାଯିବ ।"
ସୂଚନା ଥାଉ କି ଆଜି ବାଲିଯାତ୍ରାର ଶେଷ ଦିନ । ନଭେମ୍ବର ୮ ତାରିଖରୁ ବାଲିଯାତ୍ରା ଆରମ୍ଭ ହୋଇ ୧୬ ତାରିଖରେ ଶେଷ ହୋଇଥାନ୍ତା । ମାତ୍ର ଦୀର୍ଘ ୨ ବର୍ଷ କୋରୋନା କଟକଣା ପରେ ବାଲିଯାତ୍ରା ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଲୋକଙ୍କ ଉତ୍ସାହକୁ ଦେଖି ବାଲିଯାତ୍ରାକୁ ଆଉ ୨ ଦିନ ଅର୍ଥାତ ୧୮ ତାରିଖ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଗୋଟିଏ ଦିନ ଲାଗି ଅନୁମତି ଦେଇଥିଲେ । ଫଳରେ ବାଲିଯାତ୍ରାକୁ ଦିନେ ବୃଦ୍ଧି କରାଯାଇ ୧୭ ତାରିଖ ପର୍ଯ୍ୟନ୍ତ ଯାଏଁ ଏହାକୁ ଅନୁଷ୍ଠିତ କରାଯାଇଥିଲା ।
ଇଟିଭି ଭାରତ, କଟକ