କଟକ: ସତିଚୌରା... ମଧ୍ୟମ ଶତାଦ୍ଦୀର ସତୀପ୍ରଥାର ଏକମାତ୍ର ମୂକସାକ୍ଷୀ । ରାଜା ଶାସନ ସମୟରେ ଦେଶରେ ପ୍ରଚଳିତ ଥିଲା ସତୀପ୍ରଥା ଆଉ ସତିଚୌରାରେ କରାଯାଉଥିଲା ସତୀଦାହ । ଏବେ ବି ସତୀ ଗୁମ୍ଫାରେ ରହିଛି ସତୀଙ୍କ ମୂର୍ତ୍ତି । ଆଉ ତାଙ୍କ ନାମ ଅନୁସାରେ ଏହି ସ୍ଥାନର ନାମକରଣ କରାଯାଇଛି ।
ସହର ବଢିବା ସଙ୍ଗେ ସଙ୍ଗେ କାଳକ୍ରମେ ଏହି ସ୍ଥାନ ପାଲଟିଥିଲା ଶ୍ମଶାନରେ । ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ଓଡିଶାର ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମାଧି ଏଠାରେ ରହିଛି । ଦେଖିବାକୁ ଗଲେ ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଏକ ପବିତ୍ର ସ୍ଥାନ । କିନ୍ତୁ ଏହି ପବିତ୍ର ଓ ଐତିହାସିକ ସ୍ଥାନ ଆଜି ରକ୍ଷଣାବେକ୍ଷଣା ଅଭାବରୁ ଅବହେଳିତ ହୋଇଥିବା ଅଭିଯୋଗ ହୋଇଛି । ଏହାର ଉନ୍ନତି ଓ ପୁନରୁଦ୍ଧାର କରିବା ସହ ଏଠାରେ ଗ୍ୟାସଚୁଲା ସୁବିଧା କରିବାକୁ ଦାବି ହୋଇଛି ।
ଅନ୍ୟପଟେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଏହି ପବିତ୍ର ଓ ଐତିହାସିକ ସ୍ଥାନର ପୁନରୁଦ୍ଧାର ନେଇ ପ୍ରଶ୍ନ ପଚରା ଯାଇଥିଲା । ସତିଚୌରାକୁ ସ୍ବର୍ଗଧାମ ଭଳି କରାଯିବ । ଏକକାଳୀନ ଯେପରି 5ରୁ 6ଟି ଶବ ସତ୍କାର କରାଯିବ । ଯାହାର କାମ 60ରୁ 70 ପ୍ରତିଶତ ଶେଷ ହୋଇଛି । କେବଳ ବୃକ୍ଷରୋପଣ ଓ ସୌନ୍ଦର୍ଯ୍ୟକରଣ କାମ ବାକି ରହିଛି ବୋଲି ସାଂସଦ କହିଛନ୍ତି । ସେ ଆହରି ମଧ୍ୟ କହିଥିଲେ ଯେ, ଗ୍ୟାସ ଚୁଲା ପାଇଁ ଯେଉଁ ସଂସ୍ଥା ଏହି କାମ ହାତକୁ ନେବେ ସେ ସିଏସଆର ଫଣ୍ଡ ଆଣି ସିଏମସି ଜରିଆରେ କାମ କରିବେ । ଖରାଦିନ ସମୟରେ ଏ ସମସ୍ତ କାମ ଶେଷ ହେବ ବୋଲି ସାଂସଦ ପ୍ରତିକ୍ରିୟା ରଖିଥିଲେ ।
ତେବେ ଅବହେଳିତ ଏହି ପବିତ୍ର ଓ ଐତିହାସିକ ସ୍ଥଳୀରେ ପାଦ ପଡିଲେ ଦେହରେ ଶିହରଣ ଓ ମନରେ ଭୟ ସୃଷ୍ଟି ହୁଏ । ହେଲେ କେବେ ଏହାର ପୁନରୁଦ୍ଧାର ହେବ ତାହା ସମୟ କହିବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ