କଟକ: ସ୍କୁଲର ବିଭିନ୍ନ ସମସ୍ୟା ନେଇ ଶ୍ରେଣୀ ଗୃହ ବର୍ଜନ କରି ମୁଖ୍ୟ ଫାଟକରେ ତାଲା ପକାଇବା ସହ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକର ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅନନ୍ତେଶ୍ବର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ।
ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପିଲାପାଠ ପଢ଼ୁଥିଲେ ମଧ୍ୟ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । କେବଳ ଏତିକି ନୁହେଁ, ପିଲାଙ୍କ ପାଇଁ ପାଇଖାନା ଥାଇ ମଧ୍ୟ ବ୍ୟବହାର ହେଉନାହିଁ । ଆଉ ମଧ୍ୟାହ୍ନ ଭୋଜନ ମଧ୍ୟ ଠିକରେ ମିଳୁନି । ଆଉ ଛାତ୍ରଛାତ୍ରୀ ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି।
ଏଭଳି ସ୍ଥିତିରେ ସେମାନଙ୍କ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ପରିଶେଷରେ ବାଧ୍ୟ ହୋଇ ସେମାନେ ଶ୍ରେଣୀ ଗୃହ ବର୍ଜନ କରି ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ କରିଛନ୍ତି । ଖବର ପାଇ ନିଶ୍ଚିତକୋଇଲି ବ୍ଲକ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିଲେ । ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ