ଭୁବନେଶ୍ବର: ନିର୍ବାଚନୀ ଋତୁରେ ଚାଲିଛି ପ୍ରଚାର ସାଙ୍ଗକୁ ଭୋଟଭିକ୍ଷା । ସେପଟେ ଅଧିକ ସଂଖ୍ୟାରେ ମତଦାନ ପାଇଁ ନେତା ଦେଉଛନ୍ତି ଆହ୍ବାନ । ଅନ୍ୟପଟେ ନିଜ ସମର୍ଥିତ ଦଳ ପାଇଁ ନେତା ମନ୍ତ୍ରୀ ସମର୍ଥନ ଜୁଟାଇବାରେ ବ୍ୟସ୍ତ । ଏହି କ୍ରମରେ ଓଡିଶା ଗସ୍ତରେ ଆସି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଏକ ସମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏକୁ ସମର୍ଥନ ଦେବା ପାଇଁ ଅପିଲ୍ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକ ଅଫ ଇଣ୍ଡିଆର ସଭାପତି ରାମଦାସ ଅଠାୱାଲେ ଏନଡିଏର ଏକ ସହଯୋଗୀ ଦଳ । କେନ୍ଦ୍ରରେ ଲୋକସଭା ନିର୍ବାଚନରେ ଏନଡିଏ 350ରୁ ଉର୍ଦ୍ଧ୍ବ ଆସନରେ ଜିତିବା ନେଇ ସେ ପୂର୍ବାନୁମାନ କରିଛନ୍ତି । ମାତ୍ର ଏଥିରେ କିଛି ଉଣାଅଧିକ ହେଲେ ଏନଡିଏକୁ ସମର୍ଥନ ଦେବା ପାଇଁ ନବୀନ ପଟ୍ଟନାୟକଙ୍କୁ ସେ ଅପିଲ୍ କରିଛନ୍ତି । 2014ରେ ବିଜେପି ଓଡିଶାରେ 21ଟି ଲୋକସଭା ସିଟ୍ରୁ ମାତ୍ର ଗୋଟିଏରେ ବିଜୟ ଲାଭ କରିଥିଲା । ହେଲେ ଚଳିତ ନିର୍ବାଚନରେ 11ରୁ 12ଟି ସିଟ ଜିତିବା କଥା କହିଛନ୍ତି ଅଠାୱାଲେ ।
ଦେଶରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର ଲୋକମାନଙ୍କ ପାଇଁ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିବା ସହ ଦେଶର ବିକାଶର ଧାରାକୁ ଆଗେଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ତେଣୁ 'ଫିର ଏକ ବାର ମୋଦି ସରକାର' ନାରା ସତ୍ୟରେ ପରିଣତ ହେବ ବୋଲି ସେ କହିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଦେଶର ବିକାଶ ପାଇଁ ପୁଣି ଥରେ ଏନଡିଏକୁ ପୂର୍ଣ୍ଣ ବହୁମତ ଦେଇ ବିଜୟ ପାଇଁ ଲୋକଙ୍କୁ କହିଛନ୍ତି । ସେଥିପାଇଁ ଦଳ ଓଡିଶାରେ ପାର୍ଥୀ ଦେଉ ନଥିବାବେଳେ ବିଜେପିକୁ ସମର୍ଥନ କରିବା ପାଇଁ ନିବେଦନ କରିଥିବା ରାମଦାସ କହିଛନ୍ତି ।
ଏହାସହ ଅଠାୱାଲେ ରାହୁଲ ଗାନ୍ଧୀଙ୍କ ପରାଜୟ ଭବିଷ୍ୟବାଣୀ କରିବା ସହ ବିରୋଧୀ ଦଳ ନେତା ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ କରିଦେବା ପାଇଁ କହିଛନ୍ତି ।
ଭୁବନେଶ୍ବରୁର ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ