ଭଦ୍ରକ: ବାତ୍ୟା ଜୱାଦ(Cyclone Jawad) ପ୍ରଭାବରେ ୨ ଦିନ ଧରି ଜାରି ରହିଥିବା ବର୍ଷା ଏବେ କମିଛି । ହେଲେ ଚାଷୀଙ୍କ ଦୁଃଖକୁ ବଢ଼ାଇ ଦେଇଛି । ବର୍ଷା ହେବା ଫଳରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀମାନେ ହଇରାଣର ସମ୍ମୁଖୀନ ହୋଇଛନ୍ତି । କଟା ହୋଇଥିବା ଧାନ ଗୁଡିକ ପାଣିରେ ଭାସୁଥିବାବେଳେ ଧାନଗଛ ଜମିରେ ଶୋଇ ପଡିଥିବା ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ ।
ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ବନ୍ତ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡି଼ ରହିଛି । ଉକ୍ତ ବ୍ଲକର 30 ପ୍ରତିଶତ ଧାନ ସୁରକ୍ଷିତ ଭାବେ ଚାଷୀ ମାନେ ଅମଳ କରିସାରିଛନ୍ତି । କଟା ହୋଇଥିବା ଧାନ ଗୁଡିକ ପାଣିରେ ଭାସୁଥିବାବେଳେ କଟା ହୋଇ ନଥିବା ଧାନ ଗଛ ଗୁଡିକ ଜମିରେ ଲୋଟି ପଡି଼ବା ଯୋଗୁଁ ପାଣିରେ ଧାନ ଗୁଡି଼କ ବୁଡି଼ ରହିଛି । ଚାଷ ଜମିର ଏଭଳି ସ୍ଥିତିରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେମାନଙ୍କର ସୁନାର ଫସଲ ଏବେ ନଷ୍ଟ ହେବାକୁ ବସିଛି । କିଏ କେଉଁଭଳି ଧାର କରଜ କରି ଚାଷ କରିଥିଲେ । କିନ୍ତୁ ଅଦିନିଆ ବର୍ଷା ସେମାନଙ୍କୁ ଧରାଶାୟୀ କରିଦେଇଛି ।
ଜମିରେ କିଏ ପାଣି ନିଷ୍କାସନ ପାଇଁ ଅଣ୍ଟା ଭିଡୁଛି ତ ଆଉ କିଏ ଧାନ ଗଛଗୁଡିକ ବୁଡ଼ା ପାଣିରୁ ଟେକୁଛି। ମୋଟାମୋଟି ବର୍ଷା ଯୋଗୁଁ ଜିଲ୍ଲାର ବହୁ ଚାଷ ଜମିରେ ପାଣି ଜମି ରହିଛି । ବର୍ତ୍ତମାନ ଚାଷ ଅମଳର ସମୟ । ଜମିରେ ବର୍ଷା ଜଳ ଜମିଥିବାରୁ, ଚାଷ ପ୍ରଭାବିତ ହେବ । ତେବେ ଖୁବଶୀଘ୍ର କୃଷି ବିଭାଗ ପକ୍ଷରୁ ଚାଷ କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିବା ପରେ ରିପୋର୍ଟ ଦିଆଯିବ ବୋଲି ସୂଚନା ମିଳିଛି । ହେଲେ ଏନେଇ କୃଷି ବିଭାଗ କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ