ବରଗଡ: ଇଚ୍ଛା ଓ ଭବିଷ୍ୟତର ଲକ୍ଷ୍ୟ ଆଗରେ କୁନି ଝିଅ ଆଗରେ କର୍କଟ ରୋଗ ସାଜିଛି ବାଧକ | ପାଠପଢି ବଡ ହେଲେ ଅଫିସର ହେବେ ଏବଂ ମା’ ବାପାଙ୍କ ଆର୍ଥିକ ସମସ୍ୟା ଦୂର କରିବେ ଦିନେ ଏପରି ସ୍ଵପ୍ନ ଦେଖିଥିବା କୁନି ଝିଅ ରତ୍ନାବତୀଙ୍କ ସପନ ଆଜି ଚୁରମାର ହୋଇପଡିଛି | ଆଜି ରତ୍ନାବତୀଙ୍କ ଜୀବନ ବଞ୍ଚାଇବାକୁ କେବଳ ଆବଶ୍ୟକ ପଡୁଛି ଲକ୍ଷ ଲକ୍ଷ ଟଙ୍କା | ବହୁ ସଂଘର୍ଷ କରିବାକୁ ପଡୁଛି ରତ୍ନାବତୀଙ୍କୁ ବଞ୍ଚିବା ପାଇଁ |
ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର 22 ବର୍ଷର ରତ୍ନାବତୀ ପ୍ରଧାନ । ଇଚ୍ଛା ଥିଲା ଭଲ ପାଠ ପଢି ଦିନେ ବଡ ଅଫିସର ହୋଇ ପରିବାରର ଆର୍ଥିକ ବୋଝ କମ କରିବେ ଏବଂ ମାଁ ବାପାଙ୍କ ଆର୍ଥିକ ସମସ୍ୟାର ସମାଧାନ କରିବେ | ସେଥିପାଇଁ ସେ ମନ ଦେଇ ଭଲ ପାଠ ପଢୁଥିଲେ ଏବଂ ଅର୍ଥନୀତିରେ ପିଜି କରୁଥିଲେ | ମାତ୍ର ଦଇବ ଲେଖା ଥିଲା କିଛି ଅଲଗା । ମା’ ବାପାଙ୍କୁ ଦୁଃଖରୁ ମୁକ୍ତି ଦେବାକୁ ଚିନ୍ତା କରୁଥିବା ରତ୍ନାବତୀ ଆଜି ନିଜେ ମା’ ବାପାଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛନ୍ତି | ରତ୍ନାବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିଥିବା ବେଳେ ପ୍ରଥମେ ବୁର୍ଲା ଓ ପରେ ୱାଲଟିୟରରେ ଚିକିତ୍ସା କରାଇ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ରତ୍ନାବତୀଙ୍କ ରୋଗର କାରଣ ଜଣାପଡିନଥିଲା |
ଶେଷରେ ସେମାନେ ଭୁବନେଶ୍ବର ସ୍ଥିତ ଏମସ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ଏବଂ ସେଠାରେ ରତ୍ନାବତୀଙ୍କ ଫୁସଫୁସରେ କର୍କଟ ହୋଇଥିବା ଜଣାପଡିଥିଲା | ତେବେ ରତ୍ନାବତୀଙ୍କ ଚିକିତ୍ସା ପାଇଁ ପ୍ରତି ମାସରେ ଏକଲକ୍ଷ ଟଙ୍କାର ଔଷଧ ଖର୍ଚ୍ଚ କରିବାକୁ ପଡିଥାଏ ଯାହା ତାଙ୍କ ପରିବାର ପକ୍ଷେ ଆଗକୁ ଅସମ୍ଭବ ହୋଇପଡିଛି | ରତ୍ନାବତୀଙ୍କ ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଳ୍ପ କିଛି ମାତ୍ରାରେ ସୁଧୁରିଥିବା ବେଳେ କିନ୍ତୁ ଆଉ ଆଗକୁ ଔଷଧ କିଣିବା ପାଇଁ ସକ୍ଷମ ହେଉନଥିବାରୁ ରତ୍ନାବତୀ ଏବଂ ପରିବାର ଲୋକେ ସାହାଯ୍ୟର ହାତ ପାତିଛନ୍ତି ସରକାରଙ୍କୁ |
ସେପଟେ ପରିବାର ଲୋକେ ରତ୍ନାବତୀର ଚିକିତ୍ସା ପାଇଁ ସମସ୍ତ ସମ୍ପତ୍ତି ବିକ୍ରି କରିଦେଇଥିବା ବେଳେ ଏବେ ତାଙ୍କ ହାତ ଖାଲି ପଡିଯାଇଛି । ଝିଅର ଚିକିତ୍ସା ବା ଔଷଧ କିଣିବା ପାଇଁ ମଧ୍ୟ ପଇସା ନାହିଁ ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ବାପା ମାଁ | ରତ୍ନାବତୀ କେବେ ଠିକ ହେବେ ଏବଂ ପୁଣି ତାଙ୍କର ଲକ୍ଷ ବାଟରେ ଆଗକୁ ଯିବେ ସେହି ଆଶାରେ ରତ୍ନାବତୀ ସାହାଯ୍ୟ ପାଇବା ଆଶାରେ ଅନାଇ ବସିଛନ୍ତି |
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ