ଅନୁଗୋଳ: ପୋଲିସ ଷ୍ଟେସନରେ ଚାଲିଛି ଅଧିକାରୀଙ୍କ ମନମାନୀ । ଆପତ୍ତି ଅଭିଯୋଗ ନେଇ ଥାନାକୁ ଗଲେ ଲୋକଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ । ହଣ୍ଡପା ଥାନା ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଅଣିଛନ୍ତିୱ ହଣ୍ଡପା ପଞ୍ଚାୟତ ସମିତି ସଭ୍ୟ ଆନୁକୂଲ୍ୟ ବେହେରା । ଏପରି ଅଭିଯୋଗକୁ ଗୁରୁତର ସହ ନେଇ ଥାନା ଅଧିକାର ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସପି ।
ସୂଚନା ଅନୁଯାୟୀ, ଗତ ମାସ 29 ତାରିଖରେ ପଞ୍ଚାୟତ ଜଣେ ବ୍ୟକ୍ତିଙ୍କ ଅସୁବିଧା ସମ୍ପର୍କରେ ଥାନାକୁ ଅଭିଯୋଗ ନେଇ ଯାଇଥିଲା ଆନୁକୂଲ୍ୟ । ପାପାସର ଗାଁର ଚିତ୍ତରଞ୍ଜନ ସାହୁଙ୍କ ପୁଅ ବିସ୍ମିତ ସାହୁ ଗତ ଚାରିବର୍ଷ ହେବ ନିଖୋଜ ହେବା ଘଟଣାର ତଦନ୍ତ କେତେ ଦୂର ଗଲା ତାର କିଛି ପତ୍ତା ମିଳିଲା କି ନାହିଁ ସେ ସମ୍ବନ୍ଧରେ ଜାଣିବା ପାଇଁ ସେମାନେ ଥାନାକୁ ଯାଇଥିଲେ । ହେଲେ ସେଠାରେ ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ସମିତି ସଭ୍ୟ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଥାନାରୁ ବାହାର ଦେଇଥିବା ସମିତି ସଭ୍ୟ ଅଭିଯୋଗ କରିଛନ୍ତି । ଏଥିରେ ଅପମାନିତ ହୋଇ ଆନୁକୂଲ୍ୟ ଆଠମଲ୍ଲିକ SDPO ଓ ଅନୁଗୋଳ ଏସପିଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ଏସପି ଅଭିଯୋଗକୁ ଗୁରୁତର ସହ ନେଇ SDPOଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢନ୍ତୁ... ଏସସିବିରେ ସୀମା ଟପୁଛି ଦୁର୍ବ୍ୟବହାର, ଅଧିକ୍ଷକଙ୍କୁ ଭେଟିଲା କଂଗ୍ରେସ
ହଣ୍ଡାପା ପଞ୍ଚାୟତ ସମିତି ସଭ୍ୟ ଆନୁକୂଲ୍ୟ ବେହେରା ଅଭିଯୋଗ କରିଛନ୍ତି କି, ‘‘ଥାନାରେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉ ନାହିଁ । ପାପାସର ଗାଁର ଚିତ୍ତରଞ୍ଜନ ସାହୁଙ୍କ ପୁଅ ବିସ୍ମିତ ସାହୁ 4 ବର୍ଷଧରି ନିଖୋଜ ଥିବା ବେଳେ ତାର କୌଣସି ପତ୍ତା ମିଳୁନାହିଁ । ଏହାକୁ ନେଇ ଆମେ ଥାନା ଅଧିକାରୀଙ୍କ ନିକଟକୁ ଯାଇଥିଲୁ । ଥାନା ଅଧିକାରୀ ନମିତା ନାୟକଙ୍କୁ ଅପେକ୍ଷାରେ ଚୌକି ଉପରେ ବସିଥିଲି । ଚୌକି ଉପରେ ବସି ଥାନା ଅଧିକାରୀ ନମିତା ନାୟକଙ୍କୁ ନମସ୍କାର କରିବାରୁ ସେ ମୋ ଉପରେ ରାଗିବା ସହ ମତେ ଅସଭ୍ୟ ଭାଷାରେ ଗାଳି କରିଥିଲେ । ନମସ୍କାର କେମିତି କରାଯାଏ ଜାଣିନ ଯଦି ଶିଖିକି ଆସ ବୋଲି କହିବା ସହ ଥାନାରେ ତମ କାମ କ’ଣ ବୋଲି ପ୍ରଶ୍ନ କରିଥିଲେ । ଏହାସହ ତମର କୌଣସି ଅଭିଯୋଗ ଆମେ ଶୁଣିବୁ ନାହିଁ ତମେ ଯାହା କରିବାର ଅଛି କର ବୋଲି ଧମକ ଦେଇଥିଲେ । ଏହାକୁ ନେଇ ମୁଁ ଏସପିଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି ।’’
ଇଟିଭି ଭାରତ, ଅନୁଗୋଳ