ମୋହାଲି: ଚଳିତ ରଣଜୀ ସିଜିନରେ ଦେଖାଦେଇଛି ବିବାଦ । କ୍ୟାରିଅର ଆରମ୍ଭ କରିବା ପୂର୍ବରୁ କଣ୍ଟଭର୍ସି ଭିତରକୁ ଟାଣି ହୋଇଯାଇଛନ୍ତି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ । ଫିଲ୍ଡ ଅମ୍ପେୟାରଙ୍କ ନିଷ୍ପତ୍ତି ବିପକ୍ଷରେ ଯାଇ ଅମ୍ପେୟାରଙ୍କୁ ଗାଳି ଗୁଲଜ କରିଛନ୍ତି । ତେବେ ପରେ ଗିଲଙ୍କ ରାଗ ଦେଖି ଅମ୍ପେୟାର ନିଷ୍ପତ୍ତି ବଦଳାଇଥିଲେ । ଯାହାକୁ ନେଇ ବିପକ୍ଷ ଦଳ ପଡିଆ ଛାଡିଥିଲେ ।
ତେବେ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଦିଲ୍ଲୀ ଓ ପଞ୍ଜାବ ରଣଜୀ ମ୍ୟାଚର ପ୍ରଥମ ଦିବସରେ ଏହି ବିବାଦ ଦେଖାଦେଇଛି । ପଞ୍ଜାବର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ କ୍ୟାଚ୍ ହେବା ପରେ ଅମ୍ପେୟାର ଏହାକୁ ଆଉଟ ଘୋଷଣା କରିଥିଲେ । ମାତ୍ର ଶୁଭମନ୍ କ୍ରିଜକୁ ଛାଡ଼ିବାକୁ ମନା କରିଥିଲେ । ଏହା ମଧ୍ୟରେ ଅମ୍ପେୟାରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହା ପରେ ଦୁଇ ଫିଲ୍ଡ ଅମ୍ପେୟାର କିଛି ସମୟ ବିଚାରବିମର୍ଶ କରିବା ପରେ ନିଷ୍ପତ୍ତି ବଦଳାଇଥିଲେ ।
ତେବେ ଅମ୍ପାୟାର ନିଷ୍ପତ୍ତି ବଦଳାଇବାରେ ଖପ୍ପା ହୋଇ ଦିଲ୍ଲୀ ଟିମର କିଛି ଖେଳାଳି ଗ୍ରାଉଣ୍ଡ ବାହାରକୁ ଚାଲିଯାଇଥିଲେ । ଫଳରେ ମ୍ୟାଚ୍ ପ୍ରାୟ 10 ମିନିଟ୍ ବନ୍ଦ ରହିଥିଲା । ଶେଷ ମ୍ୟାଚ୍ ରେଫରୀ ପି. ରଙ୍ଗନାଥନଙ୍କ ହସ୍ତକ୍ଷେପ ପରେ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇଥିଲା । ଗିଲ ମ୍ୟାଚରେ 41 ବଲରେ 23 ରନ୍ କରି ସିମରନଜିତ୍ ସିଂହଙ୍କ ବଲରେ ଆଉଟ୍ ହୋଇଥିଲେ ।