ହାଇଦ୍ରାବାଦ: ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ଠକେଇ ଅଭିଯୋଗ ଘଟଣାରେ ନୂଆ ଟ୍ବିଷ୍ଟ । ଗତକାଲି ଏକ ଟ୍ରାଭେଲ ଏଜେନ୍ସି ପକ୍ଷରୁ ଠକେଇ ଅଭିଯୋଗ ଆଣି ଆଝାରୁଦ୍ଦିନ ଓ 2 ସହଯୋଗୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ଏନେଇ ମୁହଁଖୋଲିଛନ୍ତି ଏହି ଭେଟେରାନ ପୂର୍ବତନ କ୍ରିକେଟର । ଆଝାରୁଦ୍ଦିନ କହିଛନ୍ତି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ କୌସଣି ସତ୍ୟତା ନାହିଁ । ଅଭିଯୋଗ ନିରର୍ଥକ ଓ ଭିତ୍ତିହୀନ ।
ଔରାଙ୍ଗବାଦରେ ଥିବା ଡାନିସ ଟୁର ଆଣ୍ଡ ଟ୍ରାଭେଲ୍ସର ମାଲିକ ସାହାବ ଆଝାରୁଦ୍ଦିନ ଓ 2 ସହଯୋଗୀଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପ୍ରାୟ 20.96 ଲକ୍ଷ ଟଙ୍କା ବିମାନ ଟିକେଟ ବାବଦକୁ ଆଝାରୁଦ୍ଦିନ ଓ ସହୟୋଗୀ ପୈଠ କରିନଥିବା ଅଭିଯୋଗ ଆଣିଥିଲେ ।
ତେବେ ଆଝାରୁଦ୍ଦିନ ଏ ନେଇ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ଏଥିସହିତ 100 କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି ।