ନୂଆଦିଲ୍ଲୀ: କଳାକାରଙ୍କ ପିଛା ଛାଡୁନି କ୍ୟାନସର। ଦୀର୍ଘ ଯନ୍ତ୍ରଣା, ଅନେକ ମନସ୍ତାପ ପରେ ଏହି କ୍ୟାନସର ଯୁଦ୍ଧରେ ଜୀବନ ହାରୁଛନ୍ତି ଅନେକ । ଯେମିତି କ୍ୟାନସର ଏହି କଳାକାରଙ୍କ ଜୀବନର ଭୟଙ୍କର ଆଗନ୍ତୁକ ସାଜି ଉଜାଡି ଦେଉଛି ହସଖୁସି ଓ ସ୍ବପ୍ନ। ଗତ କିଛି ଦିନ ହେବ କ୍ୟାନସରେ ଦୁଇ ମହାନ ବଲିଉଡ୍ କଳାକାରଙ୍କୁ ହରାଇଛି ଭାରତୀୟ ସିନେ ଇଣ୍ଡଷ୍ଟ୍ରି।
ତେବେ ଏହି ଦୁଃଖ ମନରୁ ନଲିଭୁଣୁ ପୁଣି ଜଣେ ଛୋଟ ପରଦାର କଳାକାରକୁ ହରାଇଛନ୍ତି ଦର୍ଶକ। ଲୋକପ୍ରିୟ ମେଗା ଟିଭି ସିରିଜ୍ କ୍ରାଇମ ପାଟ୍ରୋଲର ଅଭିନେତା ତଥା ସ୍କ୍ରିନ ରାଇଟର ଶାଫିକ୍ ଅନସାରୀ ରବିବାର କ୍ୟାନସରେ ଆଖିବୁଝିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 52 ବର୍ଷ ହୋଇଥିଲା।
ଅନସାରୀ ଦୁଇ ବର୍ଷ ଧରି ଥୋରାସିକ୍ କର୍କଟ ସହିତ ଲଢୁଥିଲେ ଏବଂ କିଛି ମାସ ପୂର୍ବରୁ ତାଙ୍କୁ ଫୁସଫୁସ ସଂକ୍ରମଣ ହୋଇଥିଲା। ତେବେ ଅନସାରୀ ଗତକାଲି ହଠାତ୍ ଅସୁସ୍ଥ ହୋଇପଡିବା ସହ ସନ୍ଧ୍ୟାରେ ଇହଲୀଳା ସମ୍ବରଣ କରିଥିବା ତାଙ୍କ ପତ୍ନୀ ଗୌହର ଅନସାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।
ଅନସାରୀଙ୍କ ଦେହାନ୍ତ ଖବର ପାଇ ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (ସିନଟା) ମଧ୍ୟ ଟ୍ୱିଟରରେ ଶୋକ ପ୍ରକାଶ କରିଛି। ଶାଫିକ୍ 2008 ମସିହାରୁ ସିନଟାର ଜଣେ ସକ୍ରିୟ ସଦସ୍ୟ ଥିଲେ।
ଅନସାରୀ ବହୁ ବର୍ଷ ପୂର୍ବରୁ ମନୋରଞ୍ଜନ ଜଗତରେ ପ୍ରବେଶ କରିଥିଲେ। ଜଣେ ଅଭିନେତା ହେବା ବ୍ୟତୀତ ସେ ଜଣେ ସ୍କ୍ରିନ୍ ରାଇଟର୍ ଏବଂ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ସେ ଅମିତାଭ ବଚ୍ଚନ ଏବଂ ହେମା ମାଲିନିଙ୍କ 2003 ଚଳଚ୍ଚିତ୍ର ‘ବାଗବାନ୍’ର ସ୍କ୍ରିନ୍ ରାଇଟିଂ କରିଥିଲେ।
ଏସବୁ ବ୍ୟତିତ ସେ 'କ୍ରାଇମ ପାଟ୍ରୋଲ'ର ଜଣେ ଲୋକପ୍ରିୟ ଚେହେରା ଥିଲେ ଏବଂ ସୋ'ର ଅନେକ ଏପିସୋଡରେ ନିଜର ଅଭିନୟର ଯାଦୁରେ ଟେଲିଭିଜନ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଏବେ ତାଙ୍କ ଅବର୍ତ୍ତମାନ ଟେଲି ଦର୍ଶକଙ୍କୁ ଶକ୍ତ ଧକ୍କା ପହଞ୍ଚାଇଛି।