ସାନଫ୍ରାନସିସ୍କୋ: କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ଭୀଷଣ ଅଗ୍ନିକାଣ୍ଡ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ 10 ଲକ୍ଷ ଏକରରେ ବ୍ୟାପିଛି । ଏବଂ 700 ଘର ନଷ୍ଟ ହୋଇଯାଇଥିବାବେଳେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ରୋକିବା ପାଇଁ ଲଗାତାର ଚେଷ୍ଟା ଜାରି ରଖିଛନ୍ତି ।
କାଲିଫର୍ନିଆରେ ବ୍ୟାପିଥିବା ଏହି ଅଗ୍ନିକାଣ୍ଡରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । 700 ରୁ ଅଧିକ ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି । ଏବେ ସୁଦ୍ଧା କାଲିଫର୍ନିଆ ଜଙ୍ଗଲରେ ହୋଇଥିବା 585 ଅଗ୍ନିକାଣ୍ଡରେ ପ୍ରାୟ 5 ନିୟୁତ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ 4,046 ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଥିବା ଜଣାପଡିଛି ।
ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଡେରାଲ ସହାୟତା ଯୋଗାଇବା ପାଇଁ ଏକ ବଡ଼ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଆମେରିକାର ଜାତୀୟ ପାଣିପାଗ ବିଭାଗ ରବିବାର ସକାଳରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ସେଣ୍ଟ୍ରାଲ୍ କୋଷ୍ଟ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ହେବାର ଆଶଙ୍କା ଜାରି କରିଛି ।
ରାଜ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ସାମାନ୍ୟ ପବନ, ଥଣ୍ଡା ଏବଂ ଅଧିକ ଆର୍ଦ୍ର ପାଗ ଦ୍ୱାରା ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭା କାର୍ଯ୍ୟରେ ସାହାଯ୍ୟ କରାଯାଇଥିଲା । କିନ୍ତୁ ଗରମ, ଶୁଖିଲା ପାଗ, ପ୍ରବଳ ପବନ ଏବଂ ବଜ୍ରପାତର ପୂର୍ବାନୁମାନ ସେମାନଙ୍କ ଉଦ୍ୟମକୁ କ୍ଷତି ପହଞ୍ଚାଇପାରେ।