କଟକ: ଚୌଦ୍ବାର ଜେଲରେ କଏଦୀଙ୍କ ଆତ୍ମହତ୍ୟା ଘଟଣା । ଜେଲ ଭିତରେ ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ । ଏପରିକି ଜେଲ ଭିତରେ କଏଦୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ତେବେ କିଏ ଓ କାହିଁକି ନିର୍ଯାତନା ଦେଉଥିଲା ସେନେଇ କାହା ବିରୋଧରେ କୁହାଯାଇନାହିଁ । ସେପଟେ, ଢିଲା ସୁରକ୍ଷା ଯୋଗୁଁ ଏଭଳି ଅଘଟଣ ଘଟିଥିବା କହିଛନ୍ତି ମୃତ କଏଦୀଙ୍କ ଓକିଲ ।
ଏଥିସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ସେପଟେ, ଘଟଣାକୁ ନେଉ କଟକ ଡିସିପି କହିଛନ୍ତି, ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିଲା ପରେ ହିଁ ଏହା ହତ୍ୟା ଓ ଆତ୍ମହତ୍ୟା ଜଣାପଡିବ । ଆଉ ଏନେଇ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି ଅଖିଳେଶ୍ବର ସିଂହ ।
ସୂଚନାଯୋଗ୍ୟ, ଗତକାଲି ଚୌଦ୍ବାର ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ନୟାଗଡ଼ ଅଞ୍ଚଳର ଦେବପ୍ରକାଶ ବେହେରା । ଜେଲ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଦେବପ୍ରକାଶକୁ ଉଦ୍ଧାର କରାଯାଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ