ଭୁବନେଶ୍ବର: ବର୍ଦ୍ଧିତ ମତଦାନ ହାର ଆଣିବ କି ବିପର୍ଯ୍ୟୟ ? ବଦଳିବ କି ପାଟକୁରା ସମୀକରଣ ? ଶାସକ ଦଳର ରଣନୀତି ନା ବିଜେପିର ଗଣିତ କେଉଁଟା ଭୁଲ ପ୍ରମାଣିତ ହେବ ? ପାଟକୁରା ନିର୍ବାଚନକୁ ନେଇ ଏବେ ରାଜନୈତିକ ଅଳିନ୍ଦୁରେ ଏହି ଚର୍ଚ୍ଚା ।
ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି ମତଦାନ ହାର । ନିର୍ବାଚନରେ ପ୍ରାୟ 71 ପ୍ରତିଶତ ମତଦାନ ହୋଇଛି । ଯାହାକି ରାଜନୈତିକ ସମୀକ୍ଷକଙ୍କୁ ଅଧିକ ଦ୍ବନ୍ଦ୍ୱରେ ପକାଇଛି । ଯଦିଓ ଭୋଟ ହାର ବୃଦ୍ଧି ଶାସକ ଦଳ ବିପକ୍ଷରେ ଯାଇଥାଏ ବୋଲି ସାଧାରଣରେ କୁହାଯାଏ ତେବେ ଗତ ସାଧାରଣ ନିର୍ବାଚନରେ ଏହା ଭୁଲ ପ୍ରମାଣିତ ହୋଇଥିବାରୁ ପାଟକୁରାରେ କିଏ ଜିତିବ ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା ।
ତେବେ ଦୀର୍ଘ ଦୁଇ ଦଶନ୍ଧି ଧରି ବିଧାନସଭା ମାଡି ନଥିବା ବିଜୟ ମହାପାତ୍ର ବିଜୟ ହେବା ନେଇ ଦଳ ବେଶ ଆଶାବାଦୀ । ସେହିଭଳି ଶାସକ ଦଳ ମଧ୍ୟ ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ନେଇ ସମାନ ଆଶା ରଖିଛି । କଂଗ୍ରେସ ମଧ୍ୟ ଜିତିବା ଦୌଡରେ ନିଜକୁ ସାମିଲ କରିଛି ।
ପାଟକୁରାରେ ମୁଖ୍ୟତଃ ବିଜୟ ବନାମ ନବୀନଙ୍କ ମଧ୍ୟରେ ନିର୍ବାଚନ ହେଉଥିବା କୁହାଯାଉଥିଲା । ଉଭୟଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ଥିବାରୁ ଦୁଇ ଦଳ ଜିତିବା ପାଇଁ ବେଶ୍ କସରତ କରିଥିଲେ ।
ତେବେ ଗତକାଲି(ଶନିବାର) ପାଟକୁରା ନିର୍ବାଚନ ସରିଥିବାବେଳେ 24ରେ ଭୋଟ ଗଣତି । ସେହିଦିନ ହିଁ ଜଣାପଡିବ ପାଟକୁରାବାସୀ କାହାକୁ ନିଜ ନେତା ବାଛିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ