ଭୁବନେଶ୍ବର: ରାଜ୍ୟରେ ଆୟ ବର୍ହିଭୂତ ଅର୍ଥ ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ୧୨୯ ଜଣ ପ୍ରଥମଶ୍ରେଣୀ ଅଫିସର । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜ୍ୟ ସରକାର ।
ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ କେତେ ବେଆଇନ ଅର୍ଥ ଠୁଳ ମାମଲାରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । କେତେଜଣ ପ୍ରଥମ ଶ୍ରେଣୀ ଅଫିସରଙ୍କୁ ଧରାଯାଇଛି ଓ ଭିଜିଲାନ୍ସ ମାମଲାର ତୁରନ୍ତ ବିଚାର କରାଯିବାର କାରଣ କଣ ଓ ବର୍ଷ ବର୍ଷ ଧରି ମାମଲା ଗଢ଼ୁଥିବାରୁ ବହୁ ନିରୀହ କର୍ମଚାରୀ ଅବସରକାଳୀନ ପ୍ରାପ୍ୟ ପାଉନାହାନ୍ତି କି ? ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟାରେ ଭିଜିଲାନ୍ସ କୋର୍ଟ ଖୋଲାଯିବ କି ବୋଲି ପ୍ରଶ୍ନ କରିଥିଲେ ତାରା ।
ଏହାମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଠିକଣାରେ ବିଜେପି ବିଧାୟକ କାହିଁକି ପଠାଇଲେ ଚିଠି ?
ଉତ୍ତରରେ ଏହା କୁହାଯାଇଛି ଯେ, ଗତ ୫ ବର୍ଷ (୧.୧.୨୦୧୬ ରିଖ ଠାରୁ ତା ୩୧.୧୨, ୨୦୨୦ ) ମଧ୍ୟରେ ରାଜ୍ୟରେ ବେଆଇନ ଅର୍ଥ ଠୁଳ ଅଭିଯୋଗରେ ୫୦୬ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ଉକ୍ତ ଭିଜିଲାନ୍ସ ମାମଲା ମଧ୍ୟରୁ ୧୨୧ ଟି ମାମଲାରେ ୧୨୯ ଜଣ ପ୍ରଥମଶ୍ରେଣୀ ଅଫିସରଙ୍କୁ ଧରାଯାଇଛି ।
ଭିଜିଲାନ୍ସ ମାମଲାଗୁଡ଼ିକର ତ୍ଵରିତ ବିଚାର ପାଇଁ ଆବଶ୍ୟକ ପଦେକ୍ଷପ ନିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୧୯ ଟି ଭିଜିଲାନ୍ସ କୋର୍ଟରେ ବିଚାର ପ୍ରକ୍ରିୟା ଚାଲୁରହିଛି, ଆଉ ଅଧିକ ଭିଜିଲାନ୍ସ କୋର୍ଟ ଖୋଲାଯିବାର ପ୍ରସ୍ତାବ ନାହିଁ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ