ଭୁବନେଶ୍ବର: ଆଜି ବିଧାନସଭା (Odisha Assembly) ରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ନେଇଛନ୍ତି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର (leader of opposition Jayanarayan Mishra) । ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୟ ନାରାୟଣ । ଏନେଇ ‘ବିରୋଧୀ’ ବଦଳରେ ପ୍ରତିପକ୍ଷ କହିବାକୁ ଅନୁରୋଧ କରିଛନ୍ତି ଜୟ ନାରାୟଣ ।
ଦାୟିତ୍ୱ ଗ୍ରହଣ ପରେ ଜୟ ନାରାୟଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଜୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଛନ୍ତି । ବିରୋଧୀ ଦଳ ନେତା ଭାବେ ଜୟ ଏବେ ଜି ବ୍ଲକ - ଆସନ 4 ରେ ବସିବେ । ସେହିପରି ପୂର୍ବତନ ବିରୋଧୀ ଦଳ ନେତା ଜି ବ୍ଲକ - ଆସନ 8 କୁ ସ୍ଥାନାନ୍ତରିତ ହୋଇଛନ୍ତି । ଗୃହର ଐତିହ୍ୟ, ପରମ୍ପରା ଓ ସମ୍ମାନକୁ ଆହୁରି ଗୌରବାନ୍ୱିତ କରିବା ଲାଗି କାର୍ଯ୍ୟ କରିବି ବୋଲି ଜୟ କହିଛନ୍ତି ।
ନିଜ ରାଜନୈତିକ ଜୀବନରେ ଜୟ ନାରାୟଣ ମିଶ୍ର ପ୍ରଥମ ଥର ପାଇଁ ଦ୍ବାଦଶ ବିଧାନସଭାକୁ 2000 ମସିହାରେ ପଶ୍ଚିମ ଓଡିଶାର ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ସମ୍ବଲପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ଦ୍ବିତୀୟ ଥର ପାଇଁ ତ୍ରୟୋଦଶ ବିଧାନସଭାକୁ 2004 ରେ ସମାନ ଆସନରୁ ନିର୍ବାଚିତ ହୋଇଥିଲେ । ପରେ ତୃତୀୟ ଥର ପାଇଁ 2009 ରେ ନିର୍ବାଚିତ ହୋଇଥିବା ବେଳେ, 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ଡାକ୍ତର ରାଶେଶ୍ବରୀ ପାଣିଗ୍ରାହୀଙ୍କ ଠାରୁ ପରାଜିତ ହୋଇଥିଲେ ଜୟ ନାରାୟଣ ।
ପୁଣି ଥରେ 2019 ମସିହା ନିର୍ବାଚନରେ ରାଶେଶ୍ବରୀଙ୍କୁ ପରାସ୍ତ କରି ନିଜର ସାଂଗଠନିକ ଦକ୍ଷତା ଦେଖାଇଥିଲେ । ପଶ୍ଚିମ ଓଡିଶାର ଜଣେ ଲୋକପ୍ରିୟ ଚର୍ଚ୍ଚିତ ରାଜନେତା ହେଉଛନ୍ତି ଜୟ ନାରାୟଣ ମିଶ୍ର । ବିଜେଡି ବିଜେପି ମେଣ୍ଟ ସରକାର ସମୟରେ ପରିବହନ, ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇଥିଲେ । ଏହାସହ ମେଣ୍ଟ ଭାଙ୍ଗିବା ପରେ ଉପମୁଖ୍ୟ ସଚେତକ ଭାବେ ସଫଳତାର ସହ ଦାୟିତ୍ବ ତୁଳାଇଛନ୍ତି ଜୟ ନାରାୟଣ ମିଶ୍ର ।
ଷୋଡଶ ବିଧାନସଭା ନିର୍ବାଚନରେ ବିଜେପି ବିରୋଧୀ ଦଳ ମାନ୍ୟତା ପାଇବା ପରେ ପ୍ରଥମରୁ କଳାହାଣ୍ଡି ଭବାଣିପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ବିଜେପି ବିରୋଧୀ ଦଳନେତା କରିଥିଲା । ତେବେ କୋଭିଡରେ ଆକ୍ରାନ୍ତ ହେବା ଓ ପରବର୍ତ୍ତୀ କୋଭିଡ ଜଟିଳତା ପାଇଁ ଅସୁସ୍ଥ ହେବା ପରେ ଏବେ ରାଜ୍ୟ ବାହାରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ । ଏପରି ସ୍ଥଳେ ତାଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ନୂଆ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର