ଭୁବନେଶ୍ବର: ଆଜି ଠୁ ସର୍ବସାଧାରଣ ପାଇଁ ଦର୍ଶନ ଦେଲେ ବାବା ଲିଙ୍ଗରାଜ । ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁ ମିଳିଲା ଅନୁମତି । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବୟସ ସୀମା ଉପରୁ ପ୍ରତିବନ୍ଧକ ଉଠାଇଛି ବିଏମସି । କୋରୋନା କଟକଣା ସହ ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଏଥିସହ କୋରୋନା ରିପୋର୍ଟ ନେଗେଟିଭ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ସେପଟେ, ବିଏମସି ପକ୍ଷରୁ ମନ୍ଦିର ନିକଟରେ ମାଗଣା କୋଭିଡ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି ।
ଦୀର୍ଘ 9 ମାସ ପରେ ଡିସେମ୍ବର 26 ତାରିଖରେ ଲିଙ୍ଗରାଜ ମନ୍ଦିର ଖୋଲାଯାଇଥିଲା । 26 ରୁ 31 ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତଙ୍କ ପରିବାର ଲୋକଙ୍କ ଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା । ନୂଆବର୍ଷ ପାଇଁ 1 ଓ 2 ତାରିଖକୁ ଗହଳି ହଟାଇବାକୁ ଦର୍ଶନ ବନ୍ଦ ରଖାଯାଇଥିଲା । ପରେ 3,4 ଓ 5 ତାରିଖ କେବଳ ରାଜଧାନୀବାସୀଙ୍କୁ ଅନୁମତି ମିଳିଥିଲା । ତେବେ ଆଜି ଠାରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯାଇଛି ।
ସୂଚନାଯୋଗ୍ୟ, କୋରୋନା ସଂକ୍ରମଣ ପାଇଁ 60 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଓ 10 ବର୍ଷରୁ କମ ପିଲାଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିଲା । କାରଣ କୋରୋନା ସଂକ୍ରମଣ ବୃଦ୍ଧ ବ୍ୟକ୍ତିଙ୍କ ଠାରେ ଅଧିକ କ୍ଷତିକାରକ ହୋଇଥାଏ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ