ଭୁବନେଶ୍ବର: ମନୀଷ ହତ୍ୟାକାଣ୍ଡର 3 ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ପ୍ରିତମ ବିଶ୍ବାଳ ଓ ଦିନେଶ ମହାପାତ୍ରଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଏନେଇ ୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜେଏମଏଫସି କୋର୍ଟ ।
ତେବେ କମିଶନରେଟ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଥିବାବେଳେ ଏଯାଏଁ ହତ୍ୟାର ମୁଖ୍ୟ ପ୍ରମାଣ ପାଇନାହିଁ । ମନୀଷଙ୍କ ମୋବାଇଲ ଓ ଅନ୍ୟାନ୍ୟ ପ୍ରମାଣ ଖୋଜିଵାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ତେବେ ମନୀଷଙ୍କ ମୃତ୍ୟୁ ପୂର୍ବରୁ ଅମ୍ରିତ ମନୀଷଙ୍କୁ ପଟିଆ ଇନଫୋସିଟି ଅଞ୍ଚଳରୁ ପିକଅପ କରିଥିଲେ । ଏହାପରେ ସାଉଥସିଟି ବାରରେ ମନୀଷଙ୍କ ସହ ଭେଟ ହୋଇଥିଲେ ମୃତ୍ୟୁଞ୍ଜୟ ଓ ଦିନେଶ । ତେବେ ଏହି ଘଟଣା ସମ୍ପର୍କରେ ଖୁବଶୀଘ୍ର କମିଶନରେଟ ପୋଲିସ ଖୁଲାସା କରିବା ନେଇ ସୂଚନା ମିଳିଛି ।
ଏହା ବି ପଢନ୍ତୁ: ମନୀଷ ମୃତ୍ୟୁ ମାମଲା, ୩୫ ହଜାର ପାଇଁ ସାଙ୍ଗଙ୍କ ସହ ହୋଇଥିଲା ପାଟିତୁଣ୍ଡ
ପ୍ରକାଶ ଥାଉ କି ଗତ ୯ ତାରିଖ ଶନିବାର ସନ୍ଧ୍ୟାରେ ମନୀଷ କିଛି ଯୁବକଙ୍କ ସହ କାର ଯୋଗେ କେଉଁଆଡ଼େ ଯାଉଥିବା ନେଇ ତାଙ୍କ ବାପା ନବୀନ ଦାସ ସୂଚନା ଦେଇଥିଲେ । ଏହାପରେ ରବିବାର ପୁଅ ନିଖୋଜ ହେବା ନେଇ ଇନ୍ଫୋସିଟି ଥାନାରେ ଅପହରଣ ଅଭିଯୋଗ ହୋଇଥିବାବେଳେ ଦିନ ପ୍ରାୟ ୧.୩୦ ମିନିଟ୍ ବେଳକୁ ତାଙ୍କର ମୃତଦେହ ପାତ୍ରପଡ଼ା ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ