ଭୁବନେଶ୍ବର: ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମାହାନ୍ତିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଛି । ମହିଳା ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଶୋକସଭା । ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି ।
ଏହି ଶୋକସଭାରେ ଦଳର ବହୁ ବରିଷ୍ଠ ନେତ୍ରୀ ଉପସ୍ଥିତ ରହି ସ୍ଵର୍ଗତ କିଶୋର ମାହାନ୍ତିଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡ଼ିଶା ଅଣ କଂଗ୍ରେସ ଆନ୍ଦୋଳନକୁ ଶକ୍ତିଶାଳୀ କରିବାରେ କିଶୋରଙ୍କ ବଳିଷ୍ଠ ଯୋଗଦାନ ଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ନିଜ ରାଜନୈତିକ ଜିବନ ଆରମ୍ଭ କରିଥିଲେ କିଶୋର । ପଶ୍ଚିମ ଓଡ଼ିଶାରେ ଦଳକୁ ଶକ୍ତିଶାଳୀ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ଵ ନିର୍ବାହ କରିଛନ୍ତି ।
ଏହାକୁ ନେଇ ପ୍ରମିଳି ମଲ୍ଲିକ କହିଛନ୍ତି ଯେ, "ତାଙ୍କ ଅବର୍ତ୍ତମାନରେ ବିଜୁ ଜନତା ଦଳ ଏକ ତୁଙ୍ଗ ନେତାଙ୍କୁ ହରାଇଲା । ତାଙ୍କ ଶୂନ୍ୟସ୍ଥାନ ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି । ପ୍ରଭୁ ଜଗନ୍ନାଥ, ମା ସମଲେଶ୍ବରୀ ଏହି ଦାରୁଣ ଦୁଃଖକୁ ସହିବା ପାଇଁ ତାଙ୍କ ପରିବାରବର୍ଗ, ସହଯୋଗୀ, ଶୁଭେଚ୍ଛୁ ଏବଂ ଅଗଣିତ କର୍ମୀଙ୍କୁ ଧର୍ଯ୍ୟ ଦିଅନ୍ତୁ ଏହା ହିଁ ମୋ କାମନା ।"
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ