ନୂଆଦିଲ୍ଲୀ: ବଜେଟ ପୂର୍ବରୁ କେବଳ ଅର୍ଥ ମନ୍ତ୍ରାଣଳୟ ନୁହେଁ ପୁରା ସରକାର ତତ୍ପର । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ସହିତ ଅନ୍ୟ ମନ୍ତ୍ରଣାଳୟର ସଚିବ ଓ ନୀତି ଆୟୋଗର ମୁଖ୍ୟ ଅଧିକାରୀ( ସିଇଓ)ଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଆସନ୍ତା ବଜେଟକୁ ନେଇ ସମସ୍ତ ଦିଗ ଉପରେ ବିଚାରବିମର୍ଷ କରାଯାଇଛି ।
ପ୍ରଧାନମନ୍ତ୍ରୀ, ସଚିବମାନଙ୍କ ସହ ପ୍ରତ୍ୟେକ ବିଭାଗର ସୁଧାର ପାଇଁ ପ୍ରସ୍ତୁତ ନକ୍ସା ଉପରେ ଚର୍ଚ୍ଚା କରିଛନ୍ତି । ଏଥିସହ ଦେଶର ରାଜସ୍ବ ବୃଦ୍ଧି ଓ ମୋଟ ଘରୋଇ ଉତ୍ପାଦରେ ଅଭିବୃଦ୍ଧି କିପରି ହେବ ସେ ନେଇ ରଣନୀତି ତିଆରି ହୋଇଛି । ସୂଚନା ଥାଉ ଯେ, ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ସଚିବଙ୍କ ସହ ମୋଦି ସରକାର ଏହା ଦ୍ବିତୀୟ ବୈଠକ ।
ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ମାସ 5 ରେ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । 2019-20 ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳର ହିସାବ ରଖିବେ ସୀତାରମଣ । ପ୍ରମୁଖଙ୍କ ସହିତ ସଦୃଢ ଅର୍ଥବ୍ୟବସ୍ଥା , ଅନାଦେୟ ଋଣ ସମସ୍ୟା, ବ୍ୟାଙ୍କ , ଆର୍ଥିକ କମ୍ପାନୀ, ନଗଦ ସଙ୍କଟ, ଅଭିବୃଦ୍ଧି ଦର, ଆଦି ବିଭିନ୍ନ ମୁଦ୍ଦା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।